ଟିକା ନେବାର ୧୩୦ ଘଣ୍ଟା ପରେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ଭ୍ୟାକସିନ୍‌କୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକ

Published By : Prameya-News7 Bureau | January 22, 2021 IST

ଗୁରୁଗ୍ରାମ ୨୨/୦୧ : କରୋନା ମହାମାରୀ ସମୟରେ ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଗୁରୁଗ୍ରାମରେ କରୋନା ଭ୍ୟାକସିନ ନେବାର ୧୩୦ ଘଣ୍ଟା ପରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ପକ୍ଷରୁ ଗୁରୁଗ୍ରାମର ନ୍ୟୁ କଲୋନୀ ଥାନାରେ କରୋନା ଟିକାକରଣକୁ ନେଇ ଅଭିଯୋଗ ହୋଇଛି । ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମାମଲାର ଯାଞ୍ଚ ଚାଲୁରହିଛି । ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କିଛି ଖୁଲାସା ହୋଇନାହିଁ ।  

ସୂଚନା ଅନୁସାରେ କୃଷ୍ଣ କଲୋନୀରେ ରହୁଥିବା ୫୫ ବର୍ଷୀୟ ରାଜଓ୍ବନ୍ତୀ ଭଙ୍ଗରୋଲା ପିଏଚସି ସେଣ୍ଟରରେ ସୁପରଭାଇଜର ଭାବେ କାର୍ଯ୍ୟକରୁଥିଲେ । ଗତ ଜାନୁୟାରୀ ୧୬ ତାରିଖରେ ସେ କରୋନା ଟିକା ଲଗାଇଥିଲେ । ଏହାର ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଟିକା ନେବାର ପ୍ରାୟ ୧୩୦ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ପୁଅ ଭ୍ୟାକସିନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ କରୋନା ଟିକାକରଣକୁ ନେଇ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗରେ ସେ କହିଛନ୍ତି ଯେ, ଦେଶରେ ଟିକାକରଣକୁ ତୁରନ୍ତ ବନ୍ଦ କରାଯାଉ ।

ଏହା ପୂର୍ବରୁ ଦିଲ୍ଲୀରେ ପ୍ରାୟ ୫୨ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ସ୍ବାସ୍ଥ୍ୟକର୍ମୀଙ୍କର ଏଲର୍ଜୀ ସମସ୍ୟା ଦେଖାଦେଇଥିଲା ଏବଂ ଆଉ କିଛି ସ୍ବାସ୍ଥ୍ୟକର୍ମୀ ବ୍ୟସ୍ତ ବିବ୍ରତ ହେବା ଭଳି ସମସ୍ୟା ଦେଖାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କାହାର ଗୁରୁତର ସମସ୍ୟା ଦେଖାଯାଇନଥିଲା ।

ଟିକାକରଣ ପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଏପର୍ଯ୍ୟନ୍ତ ମୋଟ ୪୪୭ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ଅସୁସ୍ଥ ହୋଇଥିବା ଖବର ରହିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବା ବେଳେ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତିକରିବାକୁ ପଡିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.