Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାଶୁ-ବୋହୂଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଲା ନିଆରା ‘ଗୁରୁ-ଚେଲା’ ଆପ୍ : ଶିକ୍ଷିତ ବେକାର ରୋଜଗାର କରୁଛନ୍ତି ୨୦ହଜାର

24/08/2020 at 11:33 AM

ଧାନବାଦ ୨୪/୮: ସାଧାରଣତଃ ଆପଣ ଶାଶୁ-ବୋହୂଙ୍କ ଝଗଡ଼ା ଘଟଣା ତ ଶୁଣିଥିବେ କିନ୍ତୁ କେତେକ ଶାଶୁ-ବୋହୂ ଏପରି ମଧ୍ୟ ହୋଇଥାନ୍ତି ଯେଉଁମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି। ଝାଡ଼ଖଣ୍ଡରୁ ଶାଶୁ-ବୋହୂଙ୍କ ଏପରି ଯୋଡ଼ି ସାମନାକୁ ଆସିଛି ଯେଉଁମାନଙ୍କ ପରସ୍ପର ମଧ୍ୟରେ ପ୍ରେମ ତ ରହିଛି ,ସେହିପରି ଏମାନଙ୍କ ମଧ୍ୟରେ କେମିଷ୍ଟ୍ରି ମଧ୍ୟ ଅଦ୍ଭୁତ ଧରଣର। ସେମାନେ କରୋନା ମହାମାରୀ ସମୟର ଉପଯୁକ୍ତ ବ୍ୟବହାର କରି ଏକ ଏପରି ଆପ୍ ନିର୍ମାଣ କରିଛନ୍ତି,ଯାହା କେବଳ ତାଙ୍କ ପାଇଁ ନୁହେଁ ବରଂ ଅନେକ ବେକାର ବ୍ୟକ୍ତିଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ।

ଏହି ଘଟଣା ଝାଡ଼ଖଣ୍ଡର ଧାନବାଦର। ଏଠାରେ ରହୁଥିବା ୭୦ବର୍ଷ ବୟସ୍କା ମନୋରମା ସିଂହ ଏବଂ ୩୨ବର୍ଷ ବୟସ୍କା ତାଙ୍କ ବୋହୂ ସ୍ବାତି କୁମାରୀ ମିଶି ଏକ ଏପରି ଆପ୍ ପ୍ରସ୍ତୁତ କରିଛନ୍ତି ଯାହାର ନାଁ ‘ଗୁରୁ-ଚେଲା’ ଆପ୍। ଏହି ଆପକୁ ମୋବାଇଲ୍ ଫୋନର ପ୍ଲେଷ୍ଟୋରରୁ ଅତ୍ୟନ୍ତ ସହଜରେ ଡାଉନଲୋଡ କରାଯାଇପାରିବ।

ଏହି ଦୁଇ ଜଣ ମିଶି କରୋନା କାଳରେ ଲୋକଙ୍କୁ ରୋଜଗାର ଦେବାକୁ ଚିନ୍ତା କରିଥିଲେ। ଏହା ପରେ ଏମାନେ ୨ମାସ ତଳେ ଏକ ଆପ୍ କରିଥିଲେ ଯାହା ଶିକ୍ଷକ-ଛାତ୍ରଙ୍କୁ ପରସ୍ପର ସହ ମିଳାଇଥାଏ। ଉଭୟେ ଆପରେ ରେଜିଷ୍ଟାର କରିପାରିବେ। ଆବଶ୍ୟକତା ଅନୁସାରେ ଶିକ୍ଷକ ଅନଲାଇନ୍ କିମ୍ବା ଅଫଲାଇନ୍ କ୍ଲାସେସ ନେବା ପାଇଁ ହାଜିର ହୋଇଥାନ୍ତି। ଏହା ଦ୍ବାରା ସ୍କୁଲ୍ ଶିକ୍ଷାଠୁ ଆରମ୍ଭ କରି ଇଞ୍ଜିନିୟରିଂ,ୟୁପିଏସସି,ଗୀତ,ସଙ୍ଗୀତ,ଯୋଗ,ଚିତ୍ରକଳା ଆଦିର ଶିକ୍ଷକ ସହଜରେ ମିଳିଯାଇଥାନ୍ତି।

ଏହି ଆପ୍ ଦ୍ବାରା ଲୋକଙ୍କୁ ମିଳୁଥିବା ଫାଇଦାର ଅନ୍ଦାଜା ଆପଣ ଏକଥାରୁ ଲଗାଇ ପାରିବେ ଯେ କିଛି ଦିନରେ ଏହି ଆପ୍ ଜରିଆରେ ୪୦ଜଣଙ୍କୁ ରୋଜଗାର ମିଳି ସାରିଛି। ୧୧୦ଛାତ୍ରଛାତ୍ରୀ ଏହି ଆପ୍ ସହାୟତାରେ ମାର୍ଗ ଦର୍ଶନ ପାଉଛନ୍ତି। ଶିକ୍ଷିତ ବେକାର ଆଜି ଏହି ଆପ୍ ଜରିଆରେ ୮ହଜାରଠୁ ଆରମ୍ଭ କରି ୨୦ହଜାର ଟଙ୍କା ଯାଏଁ ଆୟ କରିପାରୁଛନ୍ତି।

ଆପ୍ ଜରିଆରେ ଆଇଆଇଟି,ଆଇଏସଏମ୍,ବିଆଇଟି ସିନ୍ଦରି,ବିଏଡ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଯୋଡ଼ି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ କାଉନସିଲିଂ ପାଇଁ ସିଆଇଏମଏଫଆରର ଅବସରପ୍ରାପ୍ତ ବୈଜ୍ଞାନିକ ଡାକ୍ତର କେକେ ଶର୍ମା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ଯାହା ଦ୍ବାରା ଘରେ ବସି ଅଭିଭାବକଙ୍କ ପାଇଁ ଶିକ୍ଷକଙ୍କ ଖୋଜ ସହଜ ହୋଇଛି। ପିଲାଙ୍କୁ ମଧ୍ୟ ସହଜରେ ଶିକ୍ଷକ ମିଳୁଛନ୍ତି।

ଏହି ଶାଶୁ-ବୋହୂଙ୍କ ମତରେ ଶିକ୍ଷିତଙ୍କୁ ବେକାରୀ ଏବଂ ପିଲାଙ୍କୁ ପାଠପଢ଼ାରେ ଅସୁବିଧା ହେଉଥିବାର ଖବର ବିଚଳିତ କରୁଥିଲା ଏଥିପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ଏହା ଦ୍ବାରା ବର୍ଷ ଶେଷ ସୁଦ୍ଧା ୨୫୦ଲୋକଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖାଯାଇଛି। ଏଥିରେ କୌଣସି ପ୍ରକାରର ଶୁଳ୍କ ନିଆଯାଉନାହିଁ। ଏହି ଆପର ନିର୍ମାଣ ବିଷୟରେ ସେମାନେ କହିଥିଲେ ଯେ ଦଶମ ପାସ୍ ଶାଶୁ ମନୋରମା ସିଂହ ଏବଂ ସ୍ନାତକ,ବିଏଡ ବୋହୂ ସ୍ବାତି ଦୁଇ ମାସ ତଳେ ଫୋନ୍ ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ପରସ୍ପର ସହ ଯୋଡ଼ିବା ଆରମ୍ଭ କରିଥିଲେ।

ଦିଲ୍ଲୀରୁ ବିବିରୁ କମ୍ପ୍ୟୁଟର ଇଞ୍ଜିନିୟରିଂ ପାଠ ପଢ଼ୁଥିବା ମନୋରମାଙ୍କ ନାତି ବତ୍ସଳ ସିଂହଙ୍କୁ ଏହି ଆବିଷ୍କାର ଭଲ ଲାଗିଥିଲା। ସେ ଏକ ପ୍ଲାଟଫର୍ମ କରିବାର ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଆପ୍ ପ୍ରସ୍ତୁତ କରି ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ା ଯାଇ ପାରିବ   । ଏହା ପରେ ମନୋରମା ଏବଂ ସ୍ବାତି ବତ୍ସଲଙ୍କ ସହାୟତାରେ ଆପ୍ ପ୍ରସ୍ତୁତ କରିଥିଲେ। ଆପକୁ ଶାଶୁ-ବୋହୂ ନିଜେ ସଞ୍ଚାଳିତ କରିବା ଆରମ୍ଭ କରିଥିଲେ। ଏହି ଆପରେ ଗୌତମ ବୁଦ୍ଧଙ୍କ ଧ୍ୟାନମଗ୍ନ ମୁଦ୍ରାରେ ଫଟୋ ଲାଗିଛି। ଡାଉନଲୋଡ କରିବା ପରେ ରେଜିଷ୍ଟେସନ କରିବାକୁ ପଡ଼ିଥାଏ। ଏଥିରେ ଦୁଇଟି ବିକଳ୍ପ ଆସିଥାଏ ଜଣେ ଗୁରୁ ଏବଂ ଦ୍ବିତୀୟ ଚେଲା ଅର୍ଥାତ୍ ଛାତ୍ର। ଗୁରୁଙ୍କ ରେଜିଷ୍ଟେସନ ହେଲେ ଛାତ୍ର-ଛାତ୍ରୀଙ୍କ ସୂଚନା,ମୋବାଇଲ୍ ନମ୍ବର,ଲୋକେସନ ମିଳିବ। ଚେଲାଙ୍କ ରେଜିଷ୍ଟେସନ ହେଲେ ବିଷୟର ଶିକ୍ଷକଙ୍କ ସୂଚନା ମିଳିବ।



   Related Posts