ଗୁଣୁପୁର, ୦୩|୦୭ : କରୋନା ସଂକ୍ରମଣ ରୋକିବା ପାଇଁ ରାୟଗଡା ଜିଲ୍ଲାର ଗୁଣୁପୁରକୁ ଶନିବାରଠାରୁ ୯ଦିନ ବ୍ୟାପି ସଟଡାଉନ୍ ଘୋଷଣା କରାଯାଇଛି ।
ଗୁଣୁପୁର ପୌରାଞ୍ଚଳ ଓ ସିରଝୋଲି ପଞ୍ଚାୟତରେ ଲାଗୁ ହେବ । ଏନେଇ ରାୟଗଡା ଜିଲ୍ଲାପାଳ ଘୋଷଣା କରିଛନ୍ତି ।ଶୁକ୍ରବାର ରାୟଗଡା ଜିଲ୍ଲାରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ ଗୋଟିଏ ଗାଁରୁ ରହିଛନ୍ତି । ଗୁଣୁପୁର ବ୍ଲକ୍ ବିଜେପୁର ଗ୍ରାମରୁ ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ ଓ ଶୁକ୍ରବାର ୭୪ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨ ଜଣଙ୍କ ମଧ୍ୟରୁ ରାୟଗଡା ସହରରୁ ଜଣେ ଓ ଗୁଣୁପୁର ସହରରୁ ଜଣେ ଅଛନ୍ତି ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ବିଜେପୁର ଗ୍ରାମରୁ ୯୦ ଜଣ ରହିଛନ୍ତି । ପ୍ରଥମେ ଗୋଟିଏ ପରିବାରର ୩ ଜଣ ଚିହ୍ନଟ ହୋଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସି ୧୩ ଜଣ ଓ ବର୍ତ୍ତମାନ ୭୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଚିନ୍ତା ବଢାଇଛି । କାରଣ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।