ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀଙ୍କ ହାତରେ ନାହିଁ ବିହନ, ବାରମ୍ବାର ଲେମ୍ପକୁ ଯାଇ ବିହନ ନପାଇ ଚାଷୀ ହନ୍ତସନ୍ତ
28/06/2019 at 5:08 PM

ଗୁଣୁପୁର ୨୮|୬: ଜୁନ୍ ମାସ ସରିବାକୁ ବସିଲାଣି । ମୌସୁମୀ ପ୍ରଭାବରେ ବର୍ଷା ମଧ୍ୟ ଆରମ୍ଭ ହୋଇ ସାରିଲାଣି । ହେଲେ ଚାଷୀଙ୍କ ହାତରେ ବିହନ ନାହିଁ । ବାରମ୍ବାର ଲେମ୍ପକୁ ଯାଇ ବିହନ ନପାଇ ହନ୍ତସନ୍ତ ଚାଷୀ । ଚାଷୀର ପସନ୍ଦର ବିହନ ମିଳୁ ନଥିବା ବେଳେ ଚାହୁଁ ନଥିବା ଅଲୋଡା ବିହନକୁ ବାରମ୍ବାର ନେବା ପାଇଁ କହୁଛନ୍ତି କର୍ତ୍ତୃପକ୍ଷ । ପୂରା ଗୁଣୁପୁରରେ ଏଭଳି ପରିସ୍ଥିତି ଦେଖା ଦେଇଛି । ଫଳରେ ଧାନ ବିହନ ପାଇଁ ଚାଷୀ ନୟାନ୍ତ ହୋଇ ପଡିଲେଣି ।

ଗୁଣପୁରରେ ବିହନ ସଙ୍କଟ । ନିଅଣ୍ଟିଆ ପରିସ୍ଥିତି ପାଇଁ ହନ୍ତସନ୍ତ ଚାଷୀ । ଗୁଣପୁର କୃଷି ଜିଲ୍ଲା ଅନ୍ତର୍ଗତ ପଦ୍ମପୁର, ଗୁଡ଼ାରୀ ରାମନୁଗୁଡ଼ା ଓ ଗୁଣପୁର ବ୍ଲକରେ ୨୧୬୫୦ ହେକ୍ଟର ଜମି ପାଇଁ ୭୯୧୭ କ୍ବିଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ଏଯାଏଁ ମାତ୍ର ୩୪୨୪ କ୍ବିଣ୍ଟାଲ ବିହନ ମିଳିଛି । ସେଥିପାଇଁ ବିହନର ଅଭାବି ଅବସ୍ଥା ସୃଷ୍ଟି ହୋଇଛି । ସେହିପରି ଚାଷୀମାନେ ହଜାରେ ଏକ ଓ ପୂଜା ନାମକ ବିହନ ଚାହୁଁଥିବା ବେଳେ ତାହା ବହୁତ କମ୍ ପରିମାଣରେ ଗଚ୍ଛିତ ରହିଛି । ଚାଷୀଙ୍କ ପିଛା ସର୍ବାଧିକ ଦୁଇରୁ ତିନି ପ୍ୟାକେଟ୍ ବିହନ ଦିଆଯାଉଛି । ସେପଟେ ଚାଷୀମାନେ ମୁହଁ ମୋଡୁଥିବା ବୀଣା, ରାଜେନ୍ଦ୍ର, ପ୍ରତୀକ୍ଷା ଓ ମୃଣାଳିନୀ ପରି ବିହନକୁ ଯାଚି ଦିଆଯାଉଛି।

ଏଭଳି ସମସ୍ୟା ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳୁଛି । ଆବଶ୍ୟକ ସମୟରେ ବିହନ ମିଳୁ ନଥିବା ବଳେ ବିଳମ୍ବରେ ବହୁ ପରିମାଣର ବିହନ ଆସି ଗୋଦାମରେ ପଡି ବଳକା ହେଉଛି । ଏ ସମ୍ପର୍କରେ ଜିଲ୍ଲା କୃଷୀ ଅଧିକାରୀ ବିଜୟ କୁମାର ଶୋରେନଙ୍କ କହିବାର କଥାହେଲା ଆଉ ଦିନେ ଦୁଇଦିନ ମଧ୍ୟରେ ପର୍ଯୟାପ୍ତ ପରିମାଣର ବିହନ ଆସିଯିବ । ୧୦୦୧ ଓ ପୂଜା ବିହନ ଅତି ପୁରୁଣା ହୋଇ ଯାଇଥିବା ରୁ ଫସଲ ଭଲ ହେବନାହିଁ । କିନ୍ତୁ ଚାଷୀମାନେ ଠିକଭାବେ ବୁଝି ନପାରିବାରୁ ଏଭଳି ସମସ୍ୟା ହେଉଛି ।