ଧଳ ସାମନ୍ତ ବ୍ରଦର୍ସ ଘରୁ ପୁଣି ମିଳିଲା ବନ୍ଧୁକ-ଗୁଳି, ଅଭିଯୁକ୍ତଙ୍କ ଉପସ୍ଥିତିରେ ଘରର କାନ୍ଥ ତାଡିଲା ପୋଲିସ
25/12/2020 at 5:42 PM

କଟକ ୨୫।୧୨: ଧଳସାମନ୍ତ ଭ୍ରାତା ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି ଚଢାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ମିଳିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଡି ବ୍ରଦର୍ସ ଉପସ୍ଥିତିରେ ପୋଲିସ ଏହି ଚଢାଉ କରିଛି। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୋଲିସ।
ଧଳ ସାମନ୍ତ ବ୍ରଦର୍ସ ଘରେ ପୁଣି ଖୋଲତାଡ କରିଛି କମିଶନରେଟ୍ ପୋଲିସ୍ । ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣିବା ପରେ ଆଜି ସି ଡି ଏ ଘରକୁ ନେଇ ଅଧିକ ଖୋଳତାଡ଼ କରିଛି ପୋଲିସ। ଡିଟେକଟର ମେସିନ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ଛାନଭିନ୍ କରିବା ସହିତ ଘର କାନ୍ଥତାଡି ଗୁଳି ବନ୍ଧୁକ ଖୋଜିଛି କମିଶନରେଟ୍ ପୋଲିସ୍ । ଏହି ଖୋଳତାଡରେ ପୋଲିସ ହାତରେ ଲାଗିଛି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି।
ଦୀର୍ଘ ୪ ବର୍ଷ ହେଲା ଜେଲରେ ସଜା କାଟୁଥିବା ଡି ବ୍ରଦର୍ସଙ୍କୁ କମିଶନରେଟ୍ ପୋଲିସ୍ ରିମାଣ୍ଡରେ ଆଣିଛି। ଏହା ପୂର୍ବରୁ ଚଢାଉ ବେଳେ ଡିବ୍ରଦର୍ସ ଘରୁ ଶୋ- କେଶ ଓ ଇନ୍ଟରିୟର ଭିତରୁ ୧୦୫୫ ଗୁଳି ଓ ୭ ଟି ବନ୍ଧୁକ ମିଳିଥିଲା । ସିକ୍ରେଟ୍ ଚାମ୍ବରରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି ବାଦ ଆଉ କେଉଁଠି କଣ ରହିଛି କି ସେ ସମ୍ପର୍କରେ ୨ ଭାଇଙ୍କୁ ପଚରାଉଚରା କରାଯାଇଥିଲା । ସେମାନଙ୍କ ସୁରାକ୍ ଆଧାରରେ ଆକ୍ସନ ନେଇଥିଲା ପୋଲିସ । ଏମିତିକି ଖାନତଲାସୀ ବେଳେ ଡେନସିଟି ଡିଟେକଟର, ଏନ୍ ଏଲ ସି ଡି , ଏଚ଼ ଡି ଏମ୍ ଡି ଭଳି ଯନ୍ତ୍ରପାତି ବ୍ୟବହାର କରାଯାଇଥିଲା ।
ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ହେବା ପରେ ଦୁଇ ଭାଇଙ୍କର ୧୨ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ଏବେ ୨ ଭାଇଙ୍କୁ ରିମାଣ୍ଡରେ ନେଇ ଆର୍ମ୍ସ କାରବାର ଚେର କେତେ ଦୂର ଲମ୍ବିଛି ତାର ଖିଅ ଖୋଜୁଛି ପୋଲିସ।