ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ପରେ ମାଟିରେ ପୋତିଦେଲେ,୪ ସମ୍ପର୍କୀୟଙ୍କୁ ପଚରାଉଚରା

Published By : Prameya-News7 Bureau | September 14, 2021 IST

ଗଞ୍ଜାମ ୧୪/୦୯ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଣିଆ ପଂଚାୟତର ବି. ନୂଆଁପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ଗାଁରେ ଗୁଣି କରୁଥିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ବି. ନୂଆଁପଲ୍ଲୀ ଗ୍ରାମର ୬୦ ବର୍ଷୀୟ ଯୁଧିଷ୍ଠିର ପ୍ରଧାନ ରବିବାର ସକାଳ ୮ଟାରେ କୌଣସି ଜରୁରୀ କାଗଜପତ୍ରର ଜେରକ୍ସ କରିବା ପାଇଁ ଘରୁ ବାହାରି ଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ନିକଟସ୍ଥ ଝିଅ ଘର ଗ୍ରାମକୁ ଚାଲି ଯାଇଥିବେ ବୋଲି ପରିବାର ଲୋକେ ଭାବି ନେଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବା ରୁ ଝିଅ ଘରକୁ ଫୋନ କରିବାରୁ ବାପା ସେଠାକୁ ଯାଇନଥିବା ଜାଣିବାକୁ ପାଇଥିଲେ ।

wp:gallery {"ids":[511208],"linkTo":"none"} /wp:gallery

ପରେ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ଥିବା ପାହାଡ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ ସେ ଜେରକ୍ସ କରିବା ପାଇଁ ନେଇଥିବା କାଗଜପତ୍ର ଏଣେତେଣେ ପଡି ଥିବା ଦେଖିବାକୁ ପାଇଥିଲେ । କିଛି ଦୂରରେ ତାଙ୍କର ସାଇକେଲ ଟି ମଧ୍ୟ ପଡିଥିଲା । ଏହାପରେ ପାହାଡ ଉପରେ ଗୋଟିଏ ସ୍ଥାନରେ ମାଟି ଖୋଳି ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ ।

ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି କରୁଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଲୋକେ ହତ୍ୟା କରିବାକୁ ଧମକ ଦେଇଥିବାରୁ ଯୁଧିଷ୍ଠିରଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରି ପାହାଡ ଉପରେ ମାଟି ତଳେ ପୋତି ଦେଇଥିବା ସନ୍ଦେହ କରୁଛନ୍ତି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଯୁଧିଷ୍ଠିରଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ତାଙ୍କ ସମ୍ପର୍କୀୟ ଭାଇଙ୍କ ପରିବାରର ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.