ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ: ପୋଡା ପାଉଁଶ ଓ ହାଡ ଜବତ କଲା ପୋଲିସ୍

Published By : Prameya-News7 Bureau | October 09, 2020 IST

ମାଲକାନଗିରି୯/୧୦:  ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ। ମାଲକାନାଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ  କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ତାକୁ ଘରୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଛନ୍ତି।

ସେଠାରେ ହତ୍ୟା କରିବା ପରେ ଗାଁଠାରୁ ୪ ଶହ ମିଟର ଦୂର ଏକ ମଶାଣିରେ ନେଇ ପୋଡି ଦେଇଥିଲେ । ଗତକାଲି ରାତିରେ ପରିବାରର ଲୋକ ଭୟଭୀତ ଅବସ୍ଥାରେ ପଡିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଆଜି ସକାଳେ ପାଡ଼ିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଡା ପାଉଁଶ ଓ ହାଡ଼ ଜବତ କରିଛନ୍ତି। ସେହି ଗ୍ରାମ ର ୫ ଜଣ ଲୋକଙ୍କୁ ସନ୍ଦେହରେ  ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି।

ଏ ନେଇ ପଡିଆ ଥାନାରେ କେସ୍ ନଂ ୪୩ /୨୦ ଧାରା ୩୦୨/୨୦୧/୩୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପଳପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।  ପ୍ରାଥମିକ ତଦନ୍ତରେ ଗ୍ରାମର କିଛି ଲୋକ ମୃତ ବାଗା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିବା ସହ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଯୋଜନାବଦ୍ଧ ଭାବେ କିଛି ଲୋକ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.