ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ମାଡ, ଦେହସାରା ବୋଳିଲେ ବିଷ୍ଠା

Published By : Prameya-News7 Bureau | November 13, 2021 IST

ଚନ୍ଦାହାଣ୍ଡି ୧୩/୧୧: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ । ବିଷ୍ଠା ଆଣି ଦେହସାରା ବୋଳିଦେଲେ । ଅନ୍ଧବିଶ୍ୱାସକୁ ନେଇ ଏଭଳି ଅଭାବନୀୟକାଣ୍ଡ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବେହେରାମୁଣ୍ଡା ଗାଁରେ । ଜୀବନ ପ୍ରତି ଭୟ ଥିବାରୁ ମାଡ଼ ଖାଇଥିବା ଗାଁର ବ୍ରଜନାଥ ପାଣ୍ଡେ(୩୫)ଓ ତାଙ୍କ ସ୍ତ୍ରୀ ୪ ବର୍ଷର ଶିଶୁପୁତ୍ରକୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାରେ ଗାଁର ଲାବଣ୍ୟ ପାଣ୍ଡେ(୫୦), ଦାମୋଦର ପାଣ୍ଡେ, ସୁବାସ ପାଣ୍ଡେ, ହଳଧର ପାଣ୍ଡେ, ଯମୁନା ଦେଈ, ପିଏ ପାଣ୍ଡେ ଓ ବିଶ୍ୱନାଥ ପାଣ୍ଡେ ପ୍ରମୁଖ ସାମିଲ ଥିବା ଏତଲା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ପୁଲିସ ସୂଚନା ଅନୁସାରେ, ଲାବଣ୍ୟଙ୍କ ପରିବାର ବିଭିନ୍ନ ସମୟରେ ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଥିଲେ । ବ୍ରଜନାଥ ଗୁଣିକରି ସେମାନଙ୍କୁ ଏଭଳି ଅସୁବିଧାରେ ପକାଉଥିବ ଲାବଣ୍ୟ ଓ ତାଙ୍କ ସମ୍ପର୍କୀୟ ସନ୍ଦେହ କରୁଥିଲେ । ଶୁକ୍ରବାର ବ୍ରଜନାଥ ଦୋକାନକୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ଲାବଣ୍ୟ, ଦାମୋଦର, ସୁବାସ, ହଳଧର, ଯମୁନା, ପିଏ ଓ ବିଶ୍ୱନାଥ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ପରେ ବିଷ୍ଠା ଆଣି ତାଙ୍କ ଦେହରେ ବୋଳି ଦେଇଥିଲେ । ବ୍ରଜନାଥ ଜୀବନ ବିକଳରେ ଘରେ ପହଞ୍ଚି ସ୍ତ୍ରୀ ରୁକ୍ମିଣୀ ଓ ୪ ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଥିଲେ । ଆକ୍ରମଣ ସଂପର୍କରେ ଏତଲା ଦେଇଥିଲେ । ମାମଲାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ କହିଛନ୍ତି । ଏହା ଅତ୍ୟନ୍ତ ସ୍ପର୍ଶକାତର ମାମଲା ହୋଇଥିବାରୁ ପୁଲିସ୍‌ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.