ପୋଲିସ ଟିମକୁ ଉତ୍ସାହିତ କରିବା ପାଇଁ ନାଚିଲେ ମହିଳା ସିଏସପି : ୧୬ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରିବା ପରେ ମାନସିକ ଚାପରେ ଥିଲେ ସମସ୍ତେ
28/04/2020 at 11:58 AM

ଗୁନା ୨୮/୪: ଲକଡାଉନରେ ପୋଲିସ୍ ଅଧିକାରୀମାନେ ୧୪ରୁ ୧୬ଘଣ୍ଟା ଡ୍ୟୁଟି କରୁଛନ୍ତି। ସୁରକ୍ଷା ବଳର ଅଭାବ ଯୋଗୁଁ ଯେତିକି ଜଣ ଅଛନ୍ତି,ତାଙ୍କ ହାତରେ ପୂରା ସୁରକ୍ଷା ରହିଛି। ଅଧିକ ସମୟ ଡ୍ୟୁଟି କରିବା ଯୋଗୁଁ ପୋଲିସ ଅଧିକାରୀମାନେ ବିରକ୍ତ ହୋଇଯାଉଛନ୍ତି। ଏପରି ପରିସ୍ଥିତିରେ ଯେତେବେଳେ ସିଏସପି ନେହା ପଚ୍ଚିସିୟା ଗୁନା ପହଞ୍ଚିଥିଲେ ସେତେବେଳେ କେତେକ ପୋଲିସଙ୍କ ମୁହଁରେ ଉଦାସ ଭାବ ଦେଖି ସେ ସମସ୍ୟା ବିଷୟରେ ପଚାରିଥିଲେ।

କେତେକ କର୍ମଚାରୀ ନିଜର ସମସ୍ୟା କହିଥିବାବେଳେ କିଏ କହିଥିଲେ ତାଙ୍କ ମାଆ ଅସୁସ୍ଥ,କିଏ କହିଥିଲେ ତାଙ୍କ ଭାଇ ଅନ୍ୟ ଜିଲ୍ଲାରେ ଫସିଛନ୍ତି। କେତେକଙ୍କୁ ଅଧିକ ସମୟ ଡ୍ୟୁଟି କରିବାକୁ ପଡ଼ୁଛି। ସେମାନଙ୍କ ଏହି ସମସ୍ୟାକୁ ସିଏସପି ଡାଇରୀରେ ନୋଟ୍ କରିଥିଲେ ଏବଂ କହିଥିଲେ ଯେ ଏବେ କରୋନା ଯୁଦ୍ଧରେ ଆମକୁ ଜିତିବାର ଅଛି। ଆପଣଙ୍କ ବିନା ଏହା ସମ୍ଭବ ନୁହେଁ। ଏଥିପାଇଁ ଯଦି ଆମେ କିଛି ଜିନିଷ ତ୍ୟାଗ କରିବା ତେବେ ସମସ୍ତଙ୍କୁ ବଞ୍ଚାଇପାରିବା। ଏହା ଶୁଣିବା ପରେ କେତେକ ପୋଲିସ୍ କର୍ମଚାରୀ ଧୀର ସ୍ବରରେ କହିଥିଲେ ଆମେ ପ୍ରସ୍ତୁତ।

ସିଏସପି ବୁଝିଯାଇଥିଲେ ଯେ ଅନେକ ଲୋକ ଚିନ୍ତାରେ ଅଛନ୍ତି। ଏହା ପରେ ସେ କହିଥିଲେ ଯେ କିଏ ଭଲ ଡ୍ୟାନ୍ସ କରିପାରେ ଏବଂ କିଏ ଭଲ ଗୀତ ଗାଇପାରେ। ଯେତେବେଳେ କେହି ଆଗକୁ ଆସିଲେ ନାହିଁ ସେତେବେଳେ ସେ ନିଜେ ହିଁ ପରିସରରେ ଡ୍ୟାନ୍ସ କରିବାକୁ ଲାଗିଲେ। ଏହା ଦେଖି ଟିଆଇ ଅବନୀତ ଶର୍ମା ନିଜ ଟିମରେ ଜୋଶ୍ ଭରିବା ପାଇଁ ଡ୍ୟାନ୍ସ କରିଥିଲେ। ଏହା ପରେ ପୂରା ପୋଲିସ୍ ଟିମ୍ ଉତ୍ସାହରେ ଝୁମି ଉଠିଲେ। ପାଖାପାଖି ଘଣ୍ଟେ ଯାଏଁ ସମସ୍ତେ ଡ୍ୟାନ୍ସ କରିଥିଲେ।

ପୋଲିସ୍ ଟିମକୁ ଉତ୍ସାହିତ କରିବା ପାଇଁ ସିଏସପିଙ୍କ ଆଇଡିଆ କାମକୁ ଆସିଯାଇଥିଲା। ଦେଶ ଭକ୍ତି ଗୀତରେ ଡ୍ୟାନ୍ସ ସରିବା ପରେ ଦୁଃଖୀ ଥିବା ପୋଲିସ୍ କର୍ମଚାରୀଙ୍କ ମୁହଁରେ ଖୁସି ଥିଲା। ଏହା ପରେ ସେମାନେ କହିଥିଲେ ଯେ କରୋନା ଯୁଦ୍ଧରେ ଆମକୁ ଜିତିବାର ଅଛି, ଯଦି ଆମେ ପଛଘୁଞ୍ଚା ଦେଲୁ ତେବେ ସହର ଏବଂ ଜିଲ୍ଲାରେ ଲୋକଙ୍କ ସୁରକ୍ଷା କିପରି ହେବ।