Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବନ୍ଧୁକ କାରବାର ପାଇଁ ଖୋଜୁଥିଲେ ଗ୍ରାହକ, ୨ ଜଣଙ୍କୁ ମାଡିବସିଲା ପୋଲିସ : ଦେଶୀ ବନ୍ଧୁକ ଓ ଗୁଳି ଜବତ

15/10/2021 at 4:48 PM

କଟକ ୧୫।୧୦: ବନ୍ଧୁକ କାରବାର ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ଜଣ ଅପରାଧୀ । ମାଲଗୋଦାମ ଥାନା ଅଞ୍ଚଳରୁ ଏହି ଦୁଇ ବନ୍ଧୁକ ବେପାରୀ ଜୋବ୍ରା ପାରେଶ୍ବରର ମୁନା ରାଓ ଏବଂ ବବଲୁ ଓରଫ ସୌଭାଗ୍ୟ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲଗୋଦାମ ଥାନା ପୋଲିସ । ଏମାନଙ୍କୁ କାବୁ କରି ତଲାସୀ ନେବା ପରେ ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ କରିଛି ।

ପୂଜା ସମୟରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରିବା ପାଇଁ ବନ୍ଧୁକ, ଗୁଳି ଖୋଜିଥାନ୍ତି ଅପରାଧୀ । ଏଭଳି ସ୍ଥିତିରେ ସେହି ଅପରାଧୀଙ୍କୁ ହତିଆର ଯୋଗାଇବା ପାଇଁ ଏମାନେ ପ୍ରସ୍ତୁତ ରହିଥିଲେ। ତେବେ ଏମାନଙ୍କ ବାବଦରେ ମାଲଗୋଦାମ ଥାନା ଅଧିକାରୀଙ୍କୁ ଖବର ମିଳିବା ପରେ ଥାନା ଅଧିକାରୀ ତୃପ୍ତିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଲଗୋଦାମ ଥାନା ଅଞ୍ଚଳରେ ହିଁ ଚଢାଉ କରି ଏହି ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବନ୍ଧୁକ କାରବାର ମାମଲା ରହିଛି । ତେବେ ଏମାନଙ୍କର ଅନ୍ୟ କେଉଁ ବନ୍ଧୁକ ବେପାରୀଙ୍କ ସହ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ଼ କରାଯାଉଛି ।  

ତେବେ ଚଳିତ ବର୍ଷ କଟକ କମିଶନରେଟ୍ ପୋଲିସକୁ ବନ୍ଧୁକ ଜବତ କ୍ଷେତ୍ରରେ ଢେର ସଫଳତା ମିଳିଛି । ଏବେ ସୁଦ୍ଧା ୫୩ ବନ୍ଧୁକ ସହ ୨୪୦ ଗୁଳି ଏବଂ ବନ୍ଧୁକ ରଖିବା ତଥା କାରବାରରେ ଲିପ୍ତ ମୋଟ୍ ୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଇ ଦିଆଯାଇଛି ବୋଲି କଟକ ଡ଼ିସିପି କହିଛନ୍ତି ।

   Related Posts