ଗନ୍ ପଏଣ୍ଟରେ ଗୁଣ୍ଡାରାଜ୍, ଅପରାଧୀଙ୍କଠାରୁ ଜବତ ହେଉଛି ବନ୍ଧୁକ ଓ ଗୁଳି

Published By : Prameya-News7 Bureau | September 12, 2019 IST

କଟକ ୧୨|୯: ଗଲା ୨୦ ଦିନ ଭିତରେ କଟକରେ ୨ ଦୁଇଟି ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ । ଆଉ ଦୁଇଟିଯାକ ଘଟଣାରେ ଅପରାଧୀଙ୍କ ଠାରୁ ଜବତ ହୋଇଛି ବନ୍ଧୁକ । ଖାଲି ଏତିକି ନୁହେଁ ପୂର୍ବରୁ ମଧ୍ୟ ଏନକାଉଣ୍ଟର କରାଯାଇଥିବା ଅପରାଧୀଙ୍କ ପାଖରୁ ବନ୍ଧୁକ ମିଳିଛି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, କଟକ ଓ ଏହାର ଆଖପାଖ ଅଂଚଳରେ ବନ୍ଧୁକ ମୁନରେ ଆତଙ୍କରାଜ ଚଳାଇଛନ୍ତି ଅପରାଧୀ । ଗୋଟାକ ପରେ ଗୋଟିଏ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରୁଛି ସତ, ହେଲେ ଚୋରା ବନ୍ଧୁକ କାରବାର ଉପରେ ଏପର୍ଯ୍ୟନ୍ତ ଲାଗି ପାରିନି ଲଗାମ୍ ।

{"id":156692}

ଗନ୍ ପଏଣ୍ଟ୍‌ରେ ଗୁଣ୍ଡାରାଜ୍ । ମାଉଜର ମୁନରେ ଲୁଟ୍, ରାହାଜାନୀ, ବଟି ଆଦାୟ । ହାତରେ ଘୋଡ଼ା, ଆଉ ପକେଟ୍‌ରେ ଗୁଳି । ସାରା ସହରକୁ ନିଜ ଇଶାରାରେ ନଚାଇବାକୁ ବି ପଛାଉନାହାନ୍ତି ଅପରାଧୀ । ହେଲେ ପୂଜା ପୂର୍ବରୁ ଏଭଳି ଗୋଟାକ ପରେ ଗୋଟିଏ ହାର୍ଡ଼କୋର୍ କ୍ରିମନାଲଙ୍କୁ ସାବାଡ଼ କରିବାକୁ ଏନକାଉଣ୍ଟର କରୁଛି କଟକ କମିଶନରେଟ୍ ପୋଲିସ । ଆଉ ଧରାପଡ଼ୁଥିବା ସବୁ ଅପରାଧୀଙ୍କ ପାଖରୁ ଜବତ ହେଉଛି ଏକାଧିକ ଚୋରା ବନ୍ଧୁକ । ଏଭଳି ପରିସ୍ଥିତିରେ ଅପରାଧୀ ସିନା ଧରାପଡ଼ୁଛନ୍ତି ହେଲେ ଧରାପଡ଼ୁନି ଚୋରା ବନ୍ଧୁକ କାରବାରର ଖିଅ । କିଭଳି ଏହି ଅପରାଧୀଙ୍କ ପାଖରେ ପହଞ୍ଚୁଛି ଚୋରା ବନ୍ଧୁକ ପୋଲିସ ତା’ର ମଧ୍ୟ ଖୋଳତାଡ଼ କରିବାର ଆବଶ୍ୟକତାକୁ ଅନୁଭବ କରୁଛନ୍ତି କଟକବାସିନ୍ଦା ।

{"id":156693}

ପୋଲିସ ବିଭାଗର ଅଧିକାରୀ ବଦଳୁଛନ୍ତି । ତା’ ସହିତ ବଦଳୁଛି ଅପରାଧୀ ଓ ଅପରାଧ ଦମନ ରଣନୀତି । ଅପରାଧୀଙ୍କୁ ଧରିବାକୁ ନୂଆ ନୂଆ ଟ୍ରିକ୍ ଆପଣାଉଛି ପୋଲିସ । ଜଣକ ପରେ ଜଣଙ୍କୁ ଏନକାଉଣ୍ଟର କରାଯାଉଛି । ଗଲା ୨ବର୍ଷ ଭିତରେ କଟକରେ ୨୫ଟି ଏନକାଉଣ୍ଟର କରାଗଲାଣି । ହେଲେ ଏହି ସମୟ ଭିତରେ ଚୋରା ବନ୍ଧୁକ କାରବାର ଉପରେ କିନ୍ତୁ ଲାଗିପାରିନି ଲଗାମ୍ ।

{"id":156694}

କେବଳ ଅପରାଧୀଙ୍କୁ ସାବାଡ଼ କଲେ ହେବ ନାହିଁ । ସେମାନଙ୍କ ପାଖକୁ କେଉଁ ସ୍ରୋତରୁ ଏତେ ପରିମାଣରେ ଚୋରା ବନ୍ଧୁକ ଆସୁଛି ପୋଲିସକୁ ତା’ର ମୂଳ ଖୋଳି ବାହାର କରିବାକୁ ପଡ଼ିବ । ସହରର ସୀମାକୁ ସିଲ୍ କରି ଚୋରା ବନ୍ଧୁକ କାରବାରର କିଙ୍ଗପିନଙ୍କୁ ବାହାର କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.