ପଦ୍ମଶ୍ରୀ ହଳଧର ନାଗଙ୍କ ସହ କଥା ହେଲେ ଗୁଲଜାର, କହିଲେ- 'ଆପଣ ଭାରି ସରଳ, ସୁଯୋଗ ମିଳିଲେ ସାକ୍ଷାତ କରିବି'

Published By : Prameya-News7 Bureau | December 29, 2020 IST

ବରଗଡ଼,୨୯/୧୨: ଆପଣ ହେଉଛନ୍ତି ଜଣେ ବହୁତ ଭଲ କବି । ଭାରୀ ସରଳ । ଆପଣଙ୍କ କବିତା ମୋତେ ବହୁତ ଭଲ ଲାଗେ। ମୋର ଅନୁବାଦ ଆପଣଙ୍କୁ ଭଲ ଲାଗିଲା ତ? ଯଦି କେବେ ମୌକା ମିଳେ ଆପଣଙ୍କ ପାଖକୁ ଆସି ସାକ୍ଷାତ କରିବି… ଏହା ଥିଲା ଦାଦା ସାହେବ ଫାଲ୍‌କେ ପୁରସ୍କାରପ୍ରାପ୍ତ କବି, ଲେଖକ, ଗୀତିକାର ଗୁଲଜାରଙ୍କ ପଦ୍ମଶ୍ରୀ ଲୋକକବିରତ୍ନ ହଳଧର ନାଗଙ୍କ ସହ ମୋବାଇଲ କଥାବାର୍ତ୍ତାର କିଛି ସାରାଂଶ ।

ସାରା ଭାରତର ୩୪ଟି ଭାଷାରୁ ୨୭୯ ଜଣ କବିଙ୍କ ୩୬୫ଟି ବଛାବଛା କବିତାକୁ ନେଇ ଗୁଲଜାର ସମ୍ପାଦନ କରିଥିବା ବହୁ ଚର୍ଚ୍ଚିତ କବିତା ସଂକଳନ “ଏ ପୋଏମ୍‌ ଏ ଡେ’ରେ ପ୍ରଥମ କବି ଭାବେ କବି ହଳଧରଙ୍କ ପାଁଚ୍‌ ଅମୃତ୍‌ ଏବଂ ଚିଠି ଲେଖୁଛେଁ…. ଭଳି ହ କବିତାମୃତକୁ ସ୍ଥାନୀତ କରିଥିଲେ । ଏହାସହ ଏକମାତ୍ର ବରେଣ୍ୟ କବି ଭାବେ ହଳଧରଙ୍କ ସଂକ୍ଷିପ୍ତ ପରିଚୟ ଗୁଲଜାର ନିଜେ ଲେଖି ଲୋକକବିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତା’ ସହ ମୋ ବହିର ତୁମେ ସୂର୍ଯ୍ୟୋଦୟ ବୋଲି ହଳଧରଙ୍କ ଉଦ୍ଦେଶ୍ୟରେ ନିଜ ହସ୍ତାକ୍ଷରରେ ଉଲ୍ଲେଖ କରିଛନ୍ତି ଗୁଲଜାର ।

ସୋମବାର ଦିନ ସନ୍ଧ୍ୟା ୫.୪୫ରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ମାଧ୍ୟମରେ କନ୍‌ଫରେନ୍ସ କଲ୍‌ରେ ଗୁଲଜାର୍‌ ଲୋକକବି ହଳଧରଙ୍କ ସହ କଥା ହୋଇଥିଲେ । ଉପରୋକ୍ତ ବାର୍ତ୍ତାଳାପରେ ହଳଧରଙ୍କୁ ଜଣେ ସରଳ କବି ବୋଲି ସମ୍ବୋଧନ କରିଥିଲେ । ଏହାସହ ହଳଧର ନାଗ ମଧ୍ୟ ସମ୍ବଲପୁରୀ/କୋସଲି ଭାଷା ଓ ସାହିତ୍ୟ ପ୍ରତି ଥିବା ଆଗ୍ରହ ଓ ଆଦର ନିମନ୍ତେ ଗୁଲଜାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଗୁଲଜାର୍‌ଙ୍କ ବହିରେ ହଳଧରଙ୍କୁ ସାହିତ୍ୟ କୃତିକୁ ଯଥେଷ୍ଟ ଗୁରତ୍ୱ ପ୍ରଦାନ କରାଯାଇଚି । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଗୁଲ୍‌ଜାର୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.