ବନ୍ଧୁର ବ୍ୟାଚ୍‌ଲର ପାର୍ଟିରେ ଗୁଳିମାଡ, ଟଳିପଡ଼ିଲେ ଯୁବକ, ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଗର୍ଜିଥିଲା ବନ୍ଧୁକ

Published By : Prameya-News7 Bureau | July 07, 2021 IST

ଗାଜିଆବାଦ ୭/୦୭: ବ୍ୟାଚ୍‌ଲର ପାର୍ଟିରେ ଗୁଳିମାଡ। ବିବାହ ପୂର୍ବରୁ ଏହି ଖାସ୍‌ ଉତ୍ସବରେ ଗୁଳି ଫୁଟାଇ ମଉଜ କରୁଥିଲେ ବନ୍ଧୁ। କିନ୍ତୁ ନିମିଷକରେ ସବୁ ଖୁସୀ ଦୁଃଖରେ ପରିଣତ ହୋଇଗଲା। ବନ୍ଧୁର ବ୍ୟାଚଲର ପାର୍ଟିରେ ଫୁଟିଥିବା ଗୁଳିରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି। ମୃତକଙ୍କ ନାଁ ସୁରଜ ରାଏ ବୋଲି ଜଣାପଡ଼ିଥିବା ବେଳେ ମାମଲାରେ ଜଡ଼ିତ ୨ ଜଣଙ୍କୁ ଗିରଫ କରିଛି ପୋଲିସ।

ଘଟଣାଟି ଗାଜିଆବାଦର ଲଜପତନଗରରେ ମଙ୍ଗଳବାର ରାତିରେ ଘଟିଛି। ମୃତ ସୁରଜଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ସେ ଘରେ ସିଏ ପାଇଁ ପସ୍ତୁତ ହେଉଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ବନ୍ଧୁ ଠାକୁର ବିକ୍କି ସିଂହ ଘରକୁ ଆସି ହିମାଂଶୁ ଶର୍ମାଙ୍କ ବ୍ୟାଚଲର ପାର୍ଟିକୁ ସୁରଜଙ୍କୁ ଡାକି ନେଇଥିଲେ। ପାର୍ଟି ଚାଲିଥିବା ବେଳେ ହରିଓମ ତ୍ୟାଗି ନାମକ ଯୁବକ ଫାୟାରିଂ କରିଥିଲା।

ଏଥିରୁ ଗୋଟିଏ ଗୁଳି ସୁରଜଙ୍କ ଦେହର ଲାଗିବାରୁ ସେ ବେହୋସ ହୋଇପଡ଼ିଥିଲେ। ବନ୍ଧୁମାନେ ମିଶି ତାଙ୍କୁ ନେଇ ହସ୍ପିଟାଲରୁ ହସ୍ପିଟାଲ ବୁଲିଥିଲେ। କିନ୍ତୁ ସୁରଜଙ୍କୁ ଚିକିତ୍ସା ମିଳିପାରିନଥିଲା। ସେପଟେ ଗୁଳିକାଣ୍ଡ ମାମଲା ହୋଇଥିବା ଯୋଗୁ ପୋଲିସ ପାଖରେ ଖବର ପହଞ୍ଚିବାକୁ ନେଇ ବନ୍ଧୁମାନେ ଭୟରେ ଥିଲେ। ଶେଷରେ ମ୍ୟାକ୍ସ ହସ୍ପିଟାଲ ସାମ୍ନାରେ ସୁରଜଙ୍କୁ ମୃତ ଅବସ୍ଥାରେ ଛାଡ଼ି  ତାଙ୍କର ସାଙ୍ଗମାନେ ଫେରାର ହୋଇଯାଇଥିଲେ।

ତେବେ ଏନେଇ ମ୍ୟାକ୍ସ ହସ୍ପିଟାଲ ପକ୍ଷରୁ ସାହିବବାଦ ଥାନାକୁ ଖବର ଦିଆଯାଇଥିଲା। ସେଠାରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସୁରଜଙ୍କ ସମ୍ପର୍କୀୟଙ୍କୁ ଏନେଇ ଅବଗତ କରାଇଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.