ନିର୍ବାଚନ ପୂର୍ବରୁ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା , ପୋଲିସର ତଦନ୍ତ ଜାରି
8/02/2020 at 8:59 AM

ନୂଆଦିଲ୍ଲୀ ୦୮।୦୨: ଦେଶର ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ଜଣେ ମହିଳା ସବ ଇନ୍ସପେକ୍ଟରଙ୍କୁ ବନ୍ଧୁକ ଗୁଳିରେ ହତ୍ୟା କରାଯାଇଛି । ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଗୁଳିମାରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ମୃତକ ପ୍ରୀତି ଅହଲାଓ୍ବତ, ପଟପଡଗଞ୍ଜ ଶିଳ୍ପାଞ୍ଚଳ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ପୋଲିସ ଥାନା ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ୯.୩୦ରେ ପ୍ରୀତି ନିଜର ଡ୍ୟୁଟି ସାରି ଘରକୁ ଫେରୁଥିଲ । ରୋହିଣୀ ଇଷ୍ଟ ମେଟ୍ରୋ ଷ୍ଟେସନ ନିକଟରେ ପ୍ରୀତିଙ୍କ ପଛ ପଟୁ ଆସି ଜଣେ ଯୁବକ ଗୁଳି କରିଥିଲା । ଲଗାତର ୩ ରାଉଣ୍ଡ ଗୁଳି ମାଡ କରିଥିଲା ଦୁର୍ବୃତ୍ତ । ୨ରାଉଣ୍ଡ ଗୁଳି ପ୍ରୀତିଙ୍କ ଦେହରେ ବାଜିଥିବା ବେଳେ ଆଉ ଏକ ରାଉଣ୍ଡ ଗୁଳି ତାଙ୍କ ନିକଟ ଦେଇ ଚାଲିଯାଇଥିଲା । ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ପ୍ରୀତି ପଡିଯାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁଳିମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇଯାଇଥିଲା ।
ପ୍ରୀତି ପଡିଥିବା ସ୍ଥାନରେ ଯେ ଅଜଣା ବ୍ୟକ୍ତି ପହଞ୍ଚି ପୋଲିସକୁ ଫୋନ କରି ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରୀତିଙ୍କ ମୃତ୍ୟୁ ହୋଇସାରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନିଭିନ୍ ଜାରି ରଖିଥିବା ବେଳେ ଫରେନ୍ସିକ ଟିମ୍ ମଧ୍ୟ କିଛି ତଥ୍ୟ ଯୋଗାଡ କରିଛି । ଘଟଣାସ୍ଥଳରୁ ୩ଟି ଗୁଳି ଜବତ ହୋଇଛି । ୨୦୧୮ରେ ଦିଲ୍ଲୀ ପୋଲିସରେ ଯୋଗ ଦେଇଥିଲେ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।