୨୦୦୨ ଗୁଜୁରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍ ଚିଟ୍ ନେଇ ଟଳିଲା ଶୁଣାଣି, ଜାଣନ୍ତୁ କ’ଣ କହିଛନ୍ତି ସୁପ୍ରିମକୋର୍ଟ
4/02/2020 at 7:17 PM

ନୂଆଦିଲ୍ଲୀ ୪।୨: ଗୁଜୁରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟିର କ୍ଲିନଚିଟ୍ ବିରୋଧରେ ରୁଜୁ ମୋକଦ୍ଦମାର ଶୁଣାଣି ମଙ୍ଗଳବାର ପୁଣି ଟଳିଛି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଏଥିଲାଗି ଆଉ ଗୋଟିଏ ଦିନ ଧାର୍ଯ୍ୟ ଲାଗି ନିବେଦନ କରିବାରୁ ସୁପ୍ରିମକୋର୍ଟ ଏପ୍ରିଲ ୧୪କୁ ପରବର୍ତ୍ତି ଶୁଣାଣି ଲାଗି ଧାର୍ଯ୍ୟ କରିଛନ୍ତି।

ତେବେ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏ.ଏମ.ଖାନୱିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏପରି ବେଶି ଦିନ ଚାଲିପାରିବ ନାହିଁ ବୋଲି ଆବେଦନକାରୀଙ୍କୁ ଜଣାଇଦେଇଛନ୍ତି । ବାରମ୍ବାର ଶୁଣାଣି ଟାଳିବାକୁ ନିବେଦନ କରାଯାଉଛି। ହେଲେ କେବେବି ମାମଲାର ଶୁଣାଣି ନିଶ୍ଚିତ ହେବ ବୋଲି କୋର୍ଟ ଆବେଦନକାରୀଙ୍କୁ ସଫାସଫା କହିଦେଇଛନ୍ତି।

ଦଙ୍ଗାରେ ପ୍ରାଣ ହରାଇଥିବା ପୂର୍ବତନ କଂଗ୍ରେସ ସାଂସଦ ଅହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରି ଏହି ପିଟିସନ ଦାଖଲ କରିଛନ୍ତି। ହେଲେ ମୋକଦ୍ଦମା ଦାୟର କରିବା ପରଠାରୁ ତାଙ୍କ ଓକିଲ ବାରମ୍ବାର ସମୟ ଗଡାଇଚାଲିଛନ୍ତି। ଜାକିଆ ୨୦୧୮ ମସିହାରେ ମୋଦିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ ସେ ଗୁଜୁରାଟ ହାଇକୋର୍ଟଙ୍କ ୫ ଅକ୍ଟୋବର ୨୦୧୭ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ।

ଗୁଜରାଟ ଦଙ୍ଗା ମାମଲାର ଯାଞ୍ଚ କରୁଥିବା ଏସଆଇଟିଙ୍କ ନିଷ୍ପତ୍ତି ବିରୋଧରେ ଜାକିଆଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତାଙ୍କ ଓକିଲ ପ୍ରଥମେ ସୁପ୍ରିମକୋର୍ଟଙ୍କୁ କହିଥିଲେ ପିଟିସନରେ ଏକ ନୋଟିସ ଜାରି କରାଯିବା ଦରକାର। କାରଣ ୨୭ ଫ୍ରେବୃଆରୀ ୨୦୦୨ରୁ ମେ ୨୦୦୨ ଏକ ବଡ ଷଡଯନ୍ତ୍ର ସହ ସମ୍ବଦ୍ଧିତ। ସୂଚନା ଯୋଗ୍ୟଯେ ୨୮ ଫେବୃଆରୀ ୨୦୦୨ରେ ଗୁଲବର୍ଗ ସୋସାଇଟିରେ ପ୍ରାଣ ହରାଇଥିବା ୬୮ ଜଣଙ୍କ ମଧ୍ୟରେ ଏହସାନ ଜାଫ୍ରି ମଧ୍ୟ ଥିଲେ। ସେପଟେ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ୍ର ଏସ-୬ କୋଚ୍ରେ ନିଆଁ ଲଗାଇ ଦିଆଯିବା ଯୋଗୁ ୫୯ ଲୋକଙ୍କ ମୃତ୍ୟୁ ସହ ଗୁଜୁରାଟରେ ଦଙ୍ଗାର ସୂତ୍ରପାତ ହୋଇଥିଲା।

ମାମଲାର ଯାଞ୍ଚ କରୁଥିବା ଏସଆଇଟି ୮ ଫେବୃଆରୀ ୨୦୧୨ରେ ମୁଖ୍ୟମନ୍ତ୍ରୀ ମୋଦିଙ୍କ ସମେତ ୬୩ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ କ୍ଲିନ୍ ଚିଟ୍ ଦେଇ ଫାଇଲ କ୍ଲୋଜର କରିଦେଇଥିଲେ। ଏଥିଲାଗି ଏସଆଇଟି ଦାଖଲ କରିଥିବା କ୍ଲୋଜର ରିପୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଅଭିଯୋଗକାରୀ ସାକ୍ଷୀ ନଥିବା ଦର୍ଶାଯାଇଥିଲା। ତେବେ ଏହାକୁ ଜାକିଆ କୋର୍ଟରେ ଚାଲେଞ୍ଜ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଏବେ ସୁପ୍ରିମକୋର୍ଟରେ ଅଭିଯୋଗକାରୀ ଧରାଛୁଆଁ ଦେଉନାହାନ୍ତି।