ଗୁଜରାଟକୁ ଘନେଇଛି ‘ତୌତେ’ ବିପଦ, ଦେଢଲକ୍ଷ ଲୋକେ ହେଲେ ସ୍ଥାନାନ୍ତର

Published By : Prameya-News7 Bureau | May 16, 2021 IST

ଗାନ୍ଧିନଗର ୧୬।୫: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୈତେ ଏବେ ଗୁଜରାଟ ଉପକୂଳକୁ ମୁହାଁଇଛି। ସୋମବାର ଅପରାହ୍ନରେ ବାତ୍ୟା ଗୁଜରାଟ ଉପକୂଳକୁ ପହଞ୍ଚିବ ଓ ମଙ୍ଗଳବାର ପୂର୍ବାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛନ୍ତି। ଏଣୁ ବାତ୍ୟା ଯୋଗୁ ବିପଦାପନ୍ନ ଉପକୂଳ ଓ ନିମ୍ନାଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଯାଉଛି। ରାଜ୍ୟରେ କୋଭିଡ ପରିସ୍ଥିତି ଏବେ ଉଗ୍ର ରହିଛି। ତେବେ ବାତ୍ୟା ଯୋଗୁ ଯେପରି ହସ୍ପିଟାଲରେ କୋଭିଡ ଚିକିତ୍ସା ପ୍ରଭାବିତ ନ ହୁଏ ସେଥିପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି।

{"id":453363,"width":838,"height":629,"sizeSlug":"large","linkDestination":"none"}

ବାତ୍ୟା ଜନିତ ବିପର୍ଯ୍ୟୟ ମୁକାବିଲା  ଲାଗି ରାଜ୍ୟରେ ଏନଡିଆରଏଫ ଓ ଏସଡିଆରଏଫର ୫୪ଟି ଟିମ୍‌ ମୁତୟନ ହୋଇଛନ୍ତି। ଲୋକଙ୍କୁ କଚ୍ଚା ଘର ଓ ପାଣି ପଶିଯିବା ଭଳି ବିପଦ ଥିବା ସ୍ଥାନରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ଏନଡିଆରଏଫ ଓ ଏସଡିଆରଏଫ ସହଯୋଗ କରୁଛନ୍ତି। ସେହିପରି ବାତ୍ୟାରେ ଯେପରି ଅମ୍ଳଯାନ ଉତ୍ପାଦନ ଓ ବିତରଣ ବ୍ୟହତ ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ବାତ୍ୟାରେ ବିଦ୍ୟୁତ ସରବରାହ ବ୍ୟହତ ହେଲେ ହସ୍ପିଟାଲରେ ବିଦ୍ୟୁତ ବ୍ୟାକଅପ ଲାଗି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

{"id":453364,"sizeSlug":"large","linkDestination":"none"}

ରବିବାର ଗାନ୍ଧି ନଗରରେ ମୁଖ୍ୟମନ୍ତ୍ରୀ ବିଜୟରୂପାଣୀ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତି ବୈଠକରେ ପରିସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡ ପ୍ରକୋପରେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ଓ ମଙ୍ଗଳବାର ଟିକାକରଣ ବନ୍ଦ କରାଯାଇଛି। ବାତ୍ୟା ଯୋଗୁ ସୃଷ୍ଟି ହେବାକୁ ଥିବା ବିପର୍ଯ୍ୟୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟରେ ସାମୁଦ୍ରିକ ଝଡ ବତାସରେ ଯେପରି କେହି ମୃତାହତ ନ ହୁଅନ୍ତି ତାହା ସରକାରଙ୍କର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।

{"id":453365,"sizeSlug":"large","linkDestination":"none"}

ଏହି ଘୂର୍ଣ୍ଣିବାତ୍ୟା ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି। ଏଣୁ କୌଣସି ପରିସ୍ଥିତି ଲାଗି ଏନଡିଆରଏଫର ୪୪ଟି ଟିମ୍‌ ସମେତ ଏସଡିଆରଏଫର ୧୦ଟି ଟିମ୍‌, ଅଗ୍ନିଶମନ ବଳ, ପୋଲିସ ଓ କୋଷ୍ଟ ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି। ସାମୁଦ୍ରିକ ବାତ୍ୟା ତୌତେ ଆଗାମୀ ୨୪ ଘଣ୍ଟାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇ ସୋମବାର ସନ୍ଧ୍ୟା ସୁଧା ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ଆଇଏମଡି ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.