ଗୁଜରାଟ ବିଜେପିକୁ ଝଟକା, ଆଇନମନ୍ତ୍ରୀଙ୍କ ନିର୍ବାଚନ ହାଇକୋର୍ଟରେ ଅସିଦ୍ଧ

Published By : Prameya-News7 Bureau | May 14, 2020 IST

ଗାନ୍ଧିନଗର ୧୪।୫: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସରକାରରେ ଶିକ୍ଷା, ଆଇନ ଏବଂ ନ୍ୟାୟ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ଅବସ୍ଥାପିତ ଧୋଲକା ବିଧାୟକ ଭୂପେନ୍ଦ୍ର ସିଂହ ସୁଡାସମାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମାତ୍ର ୩୨୭ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ସେ ନିର୍ବାଚନରେ ଜିତିବା ଲାଗି ଅନିୟମିତତାର ଆଶ୍ରୟ ନେଇଥିବା କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଅଶ୍ୱିନୀ ରାଠୋର ଅଭିଯୋଗ କରିବା ସହ ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଥିଲେ।

ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ସମୟରେ ବିଶେଷ କରି ଭୋଟ ଗଣନାରେ ନିୟମ ଉଲ୍ଲଂଘନ କରିବା ସହ ଭ୍ରଷ୍ଟାଚାର କରିଥିବାର ରାଠୋର ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ମାମଲାର ଶୁଣାଣି କରି ଗୁଜୁରାଟ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପରେଶ ଉପାଧ୍ୟାୟ ନିର୍ବାଚନ ଅନିୟମିତତା ଲାଗି ଅଧିକାରୀ ଧବଲ ଜନୀଙ୍କୁ ତୀବ୍ର ଭର୍ତ୍ସନା କରିଥିବା ବେଳେ ଚୂଡାସମାଙ୍କ ନିର୍ବାଚନକୁ ଖାରଜ କରିଦେଇଛନ୍ତି।

ଭୋଟ ଗଣନାରେ ୪୨୯ଟି ପୋଷ୍ଟାଲ ବାଲଟକୁ ନିର୍ବାଚନ ଅଧିକାରୀ ଅସିଦ୍ଧ କରିବା ଯୋଗୁ ଚୂଡାସମାଙ୍କ ବିଜୟ ସହଜ ହୋଇଯାଇଥିଲା ବୋଲି ରାଠୋର ଅଭିଯୋଗ କରିଥିଲେ। ଯାଞ୍ଚ ବେଳେ ଏହା ପ୍ରମାଣିତ ହୋଇଥିବା ବେଳେ ଭୋଟଗଣନା କେନ୍ଦ୍ରରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମୋବାଇଲ ଫୋନରେ କଥା ହେଉଥିବାର ଭିଡିଓ ଫୁଟେଜରୁ ଅନିୟମିତତା ସ୍ପଷ୍ଟ ହୋଇଥିବା କୋର୍ଟ କହିବା ସହ ଚୁଡାସମାଙ୍କ ନିର୍ବାଚନ ଖାରଜ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.