ମକର ସଂକ୍ରାନ୍ତି ରେ ଉଡ଼ିବ ଗୁଡ଼ି, ଗୁଜରାଟ ସରକାରଙ୍କ ନିବେଦନ ହାଇକୋର୍ଟରେ ଅଗ୍ରାହ୍ୟ
8/01/2021 at 9:42 PM

ଅହମ୍ମଦାବାଦ ୮।୧: ଗୁଜରାଟ ହାଇକୋର୍ଟ ଜାନୁୟାରୀ ୧୪ ତାରିଖରେ ଉତ୍ତରାୟଣ ଓ ମକର ସଂକ୍ରାନ୍ତିରେ ଗୁଡ଼ିଉଡାଇବାରେ ପୂର୍ଣ୍ଣ ପ୍ରତିବନ୍ଧକ ନିମନ୍ତେ ସରକାରଙ୍କ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ତେବେ କୋଭିଡ-୧୯ଲାଗି ସରକାରଙ୍କ ପ୍ରସ୍ତାବିତ ଅନ୍ୟ କଟକଣାକୁ ମଞ୍ଜୁରି ଦେଇଛନ୍ତି।

ଗୁଜରାଟରେ ଉତ୍ତରାୟଣରେ ଗୁଡ଼ି ଉଡାଇବା ଏକ ଲୋକ ପର୍ବ। ଏହି ଅବସରରେ ଲୋକେ ସେମାନଙ୍କ ଘରର ଛାତ ଓ ଖୋଲାପଡିଆକୁ ଯାଇ ଗୁଡ଼ିଉଡା ପ୍ରତିଯୋଗୀତା କରିଥାନ୍ତି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଜେ.ବି.ପରଦିୱାଲା ସଂକ୍ରାନ୍ତିରେ ସରକାରଙ୍କ କଟକଣାକୁ ସହମତି ଦେଇଛନ୍ତି। ତେବେ ଏଥିଲାଗି କାହାର ଜୀବିକା ଯେପରି ବିପଦରେ ନ ପଡେ ସେଥିଲାଗି ମଧ୍ୟ ସତର୍କକରିଛନ୍ତି।

ସରକାର ମକର ସଂକ୍ରାନ୍ତିରେ ଖୋଲା ପଡ଼ିଆ ଓ ସର୍ବସାଧାରଣ ଅଞ୍ଚଳରେ ଗୁଡ଼ି ଉଡା ଉପରେ କଟକଣା ଜାରି କରିଛନ୍ତି। ତେବେ ଲୋକେ ସେମାନଙ୍କ ଘର ଛାତ ଉପରେ ଗୁଡ଼ି ଉଡାଇବାରେ କୌଣସି କଟକଣା ନାହିଁ। ହେଲେ ଏଥିରେ ମଧ୍ୟ ସାମାଜିକ ଦୁରତା , ମାସ୍କ ପିନ୍ଧିବା ଏବଂ ସାଇଟାଇଜର ବ୍ୟବହାରକୁ ଜରୁରି କରିଛନ୍ତି।