ଗୁଜୁରାଟ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା, ଦୁଇ ଦିନ ହେଲା ଶାହାଙ୍କ ସହିତ ଥିଲେ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪/୪: ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଦୁଇ ଦିନ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ନୀତିନ ପଟେଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ସହ ସମ୍ପର୍କରେ ଆସିଥିବା ନେତାମାନଙ୍କୁ ନେଇ ଏବେ ଆଶଙ୍କା ବୃଦ୍ଧି ପାଇଛି ।

ଗତ ଦୁଇ ଦିନ ହେଲା ଗୃହମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଅଛନ୍ତି। ଗୃହମନ୍ତ୍ରୀଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ପର୍କରେ ଥିଲେ। ଆଜି ସକାଳେ ଅମିତ ଶାହା ଅକ୍ସିଜେନ୍‌ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ସେହି ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ତାଙ୍କ ସହ ଉପସ୍ଥିତ ଥିଲେ। କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ୟୁଏନ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନୀତିନ ପଟେଲଙ୍କ ପୂର୍ବରୁ ବହୁ ନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ, ଜାମ୍ମୁକାଶ୍ମୀରରେ ଫାରୁଖ ଏବଂ ଓମର ଅବଦୁଲା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.