ଟଳିଲା ‘ବାୟୁ’ ବିପଦ, ଲୋକଙ୍କୁ ଘରକୁ ଫେରିବାକୁ ଅନୁମତି ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ
14/06/2019 at 4:54 PM

ଅହମ୍ମଦାବାଦ ୧୪।୬: ସାମୁଦ୍ରିକ ବାତ୍ୟା ‘ବାୟୁ’ ଯୋଗୁ ରାଜ୍ୟକୁ ଆଉ ବିପଦ ନାହିଁ । ବାତ୍ୟା ପଶ୍ଚିମ ଦିଗକୁ ମୁହାଁଇଯାଇଛି । ଏଣୁ ଲୋକେ ଏବେ ନିଜନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ। ଶୁକ୍ରବାର ଏହା କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଗୁରୁବାର ଗୁଜରାଟ ଉପକୂଳରେ ଭୂଭାଗକୁ ପ୍ରବେଶ କରିବାର ପୂର୍ବାନୁମାନ କରାଯାଇଥିଲା। ଘଣ୍ଚାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ବତାସ ସହ ବର୍ଷା ଆଶଙ୍କା କରାଯାଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରେ ଥିବା ପ୍ରାୟ ୨ଲକ୍ଷ ୭୫ ହଜାର ଲୋକଙ୍କୁ ସରକାର ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ତେବେ ‘ବାୟୁ’ ବିପଦ ଏବେ ଟଳିଥିବାରୁ ସରକାର ଲୋକଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶୁକ୍ରବାର ‘ବାୟୁ’ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାତ୍ୟା ଆଶଙ୍କାରେ ପୁନର୍ବାସ କରାଯାଇଥିବା ଲୋକଙ୍କ ଦୈନିକ ଖର୍ଚ୍ଚ ବାବଦକୁ ସରକାର ୫.୫୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବାତ୍ୟା ପରବର୍ତ୍ତି ୨ ଦିନ ପର୍ଯ୍ୟନ୍ତ ଏହି ଖର୍ଚ୍ଚ ପ୍ରଦାନ କରାଯିବ। ବାତ୍ୟା ଏବେ ପୋରବନ୍ଦର ଉପକୂଳରୁ ପ୍ରାୟ ୧୫୦ କିଲୋମିଟର ଦୂର ସମୁଦ୍ର ଭିତରକୁ ଚାଲିଯାଛି । ଏଣୁ ବାତ୍ୟାକୁ ନେଇ ଉପକୂଳ ଅଞ୍ଚଳ ନିମନ୍ତେ ଏବେ ଆଉ ବିପଦ ନଥିବା ପାଣିପାଗ ବିଭାଗ କହିଛନ୍ତି।

ବାତ୍ୟା ଚାଲିଯାଇଥିବାରୁ ବନ୍ଦ ଘୋଷଣା କରାଯାଇଥିବା ସ୍କୁଲ କଲେଜ ପୁଣି ନିୟମିତ ଚାଲିବ ବୋଲିମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବାତ୍ୟା ବେଳେ ଉପକୂଳ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ପରିଚାଳନା ପାଇଁ ମୁତୟନ ହୋଇଥିବା ଅଧିକାରୀ, କର୍ମଚାରୀ ଓ ମନ୍ତ୍ରୀଙ୍କୁ ସେମାନଙ୍କ ନିଜନିଜ କାର୍ଯ୍ୟସ୍ଥଳକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ରୂପାଣୀ। ତେବେ ମୁତୟନ ହୋଇଥିବା ଏନଡିଆରଏଫ ଟିମ୍ ଆଉ ୨ ଦିନ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବାତ୍ୟା ଟଳିଯିବା ପରେ ରାସ୍ତାଘାଟରେ ପୁଣି ଯାନବାହନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ନିୟମିତ ଯାତ୍ରୀପରିବହନ ପାଇଁ ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି।