ବିଜେପି ନେତା ଗିରଫ, ଥାନାବାବୁ ଓ କନେଷ୍ଟବଳ ସସ୍ପେଣ୍ଡ: ନାତୁଣୀ ନିର୍ବନ୍ଧରେ ଭୋଜି, ନାଚ-ଗୀତ ପଡିଗଲା ମହଙ୍ଗା

Published By : Prameya-News7 Bureau | December 03, 2020 IST

ଗାନ୍ଧିନଗର ୦୩/୧୨ : କରୋନା ମାମଲା ହ୍ରାସ ପାଇବା ପରେ ଗତ କିଛି ଦିନ ହେଲା ପୁଣି ବଢ଼ିବାରେ ଲାଗିଛି। ପୁଣି କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ଅନେକ ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। କିଛି ରାଜ୍ୟରେ କୋଭିଡ ନିୟମ କଡାକଡି କରାଯାଇଛି। ଏହିଭଳି ସ୍ଥିତିରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କାନ୍ତି ଗାମିତଙ୍କ ନାତୁଣୀଙ୍କ ନିର୍ବନ୍ଧ ଚର୍ଚ୍ଚାର ବିଷୟ ହୋଇଛି। ନିର୍ବନ୍ଧ ସମାରୋହରେ ୬ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ଏବଂ ଗରବା ନାଚ କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଏଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ପୋଲିସ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ସେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିଲେ।

କୋଭିଡ-୧୯ ନିୟମ ଉଲଙ୍ଘନ ଅଭିଯୋଗରେ ପୋଲିସ କାନ୍ତି ଗାମିତଙ୍କୁ ଗିରଫ କରିଛି। ନିର୍ବନ୍ଧ ସମାରୋହରେ ସାମିଲ ହୋଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଦୁଇ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ପୋଲିସ ଇନ୍ସପେକ୍ଟର ଓ ଅନ୍ୟ ଜଣେ କନେଷ୍ଟବଳ।

ବିଜେପି ନେତାଙ୍କ ନାତୁଣୀଙ୍କ ନିର୍ବନ୍ଧ ଭିଡିଓ ଭାଇରାଲ ହେବାପରେ ଗୁଜରାଟ ହାଇକୋର୍ଟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ମାମଲାରେ ମତ ଦେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀ କାନ୍ତି ଗାମିତ ଓ ତାଙ୍କ ପୁଅ ଜିତେନ୍ଦ୍ର ଗାମିତ, ସୋନଗଡ଼ ନଗରପାଳିକା ସଦସ୍ୟ ବିନୋଦ ଚନ୍ଦ୍ରାତେୟା, ବିଜେପି କର୍ମୀ କେବିନ ଦେଶାଇ, ଭିଡିଓଗ୍ରାଫର, ମଣ୍ଡପ ଡେକୋରେଟର, ବ୍ୟାଣ୍ଡବାଜା ଟିମ୍ ଓ ରୋଷେୟା ସମେତ ୧୮ ୧୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଏଥିରେ ପୋଲିସ ହେଡ଼୍ କନେଷ୍ଟବଳଙ୍କ ନାଁ ମଧ୍ୟ ସାମିଲ ଅଛି।

ସମସ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିର୍ବନ୍ଧ ସମାରୋହରେ ସାମିଲ ହୋଇଥିବା ଇନ୍ସପେକ୍ଟର ସିକେ ଚୌଧୁରୀଙ୍କ ସମେତ ଅନ୍ୟ ପୋଲିସକର୍ମୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.