ଗୁଜରାଟ ବିଜେପିରେ ବଢିଲା ଦଳୀୟ କନ୍ଦଳ ! ମୁଖ୍ୟମନ୍ତ୍ରୀ ପଦ ନମିଳିବାରୁ ନୀତିନ ପଟେଲ୍ ଅସନ୍ତୁଷ୍ଟ, ଗଲେନି ରାଜ୍ୟପାଳ ଭବନ

Published By : Prameya-News7 Bureau | September 12, 2021 IST

ଅହମ୍ମଦାବାଦ ୧୨।୦୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଇସ୍ତଫା ପରେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା। ହେଲେ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍‌ଙ୍କ ସହିତ ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ  ବାଜି ମାରି ନେଇଛନ୍ତି ଭୂପେନ୍ଦ୍ର ପଟେଲ୍। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପାଇବା ପାଇଁ ଆଶା ବାନ୍ଧି ବସିଥିବା ନୀତିନି ପଟେଲ୍‌ଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ପଦର ଘୋଷଣା ପରେ ଭୂପେନ୍ଦ୍ର ପଟେଲ୍ ରବିବାର ସନ୍ଧ୍ୟାରେ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି। ହେଲେ ଏହି ସମୟରେ ରାଜଭବନରେ ଉପସ୍ଥିତ ନଥିଲେ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍। ତାଙ୍କର ଅନୁପସ୍ଥିତିକୁ ନେଇ  ବିଜେପିରେ ଆଭ୍ୟନ୍ତରୀଣ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି।

ପ୍ରଥମ ଥର ବିଧାୟକ ହୋଇଥିବା ଭୂପେନ୍ଦ୍ର ପଟେଲ୍‌ଙ୍କ ନାମ ଅଚାନକ ଘୋଷଣା ପୂର୍ବରୁ ଯେଉଁମାନଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡରେ ସର୍ବାଗ୍ରେ ଥିଲା, ସେଥିରେ ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍‌ଙ୍କ ନାମ ସାମିଲ୍ ଥିଲା। ବିଧାୟକ ଦଳ ବୈଠକ ପୂର୍ବରୁ ସେ ସାମ୍ବାଦିକଙ୍କୁ କହିଥିଲେ ଯେ, ଜଣେ ଅନୁଭବୀ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍। ସୂତ୍ର ଅନୁଯାୟୀ, ଭୂପେନ୍ଦ୍ର ପଟେଲ୍‌ଙ୍କ ନାମ ଘୋଷଣା ପରେ ନୀତିନ ପଟେଲ୍ ନିଜର ଗୃହ ନଗର ମହେସାଣା ଚାଲି ଯାଇଛନ୍ତି। ସାଧାରଣତଃ ଗଣମାଧ୍ୟମରେ ଖୁବ୍ ଆଲୋଚନା କରୁଥିବା ପଟେଲ୍‌ ସାମ୍ବାଦିକଙ୍କ ସହ କଥା ମଧ୍ୟ ହୋଇନଥିଲେ।

ଏହା ପୂର୍ବରୁ ୨୦୧୭ରେ ଯେବେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇନଥିଲା, ସେହି ସମୟରେ ମଧ୍ୟ ସେ ଦଳରେ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇଥିଲେ। ପାର୍ଟି ହାଇକମାଣ୍ଡଙ୍କୁ ତାଙ୍କ ସାମ୍ନାରେ ନଇଁବାକୁ ପଡିଥିଲା। ଏବେ ଦେଖିବା ବାକି ରହିଲା ଯେ, ସରକାରରେ ନୀତିନ ପଟେଲ୍ ସାମିଲ୍ ହେବେ କି ନାହିଁ। କୁହାଯାଉଛି ତାଙ୍କର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ପ୍ରସ୍ତାବ ଦିଆଯାଇଛି।

କିନ୍ତୁ ରାଜନୀତିରେ ମାହିର ନୀତିନ ପଟେଲ୍ ସକ୍ରିୟ ରାଜନୀତିରେ ରହିବାକୁ ଚାହାନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ତାଙ୍କର ସମ୍ବନ୍ଧ ଭଲ ନଥିଲା। ରୂପାନୀ ଅମିତ୍‌ ଶାହାଙ୍କ ବିଶ୍ଵସ୍ତ ଥିବା ବେଳେ ନୀତିନ ପଟେଲ୍‌ ଶାହାଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା ଆନନ୍ଦିବେନ ପଟେଲ୍‌ଙ୍କ ନିକଟତର କୁହାଯାଏ। ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେଉଥିବାରୁ ନୀତିନ ପଟେଲ୍‌ଙ୍କ ଅସନ୍ତୋଷକୁ ଦଳ ଅଣଦେଖା କରିବାକୁ ଚାହିଁବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.