ଆଶାରାମଙ୍କ ଜାମିନ୍‌ ପାଇଁ ଅଦ୍ଭୂତ ଯୁକ୍ତି ରଖିଲେ ଓକିଲ, ଦୁଷ୍କର୍ମ ମାମଲାରେ ଦୋଷୀ ହୋଇ ଜେଲ୍‌ରେ ଅଛନ୍ତି ଗଡମ୍ୟାନ୍‌

Published By : Prameya-News7 Bureau | March 31, 2020 IST

ଯୋଧପୁର ୩୧।୩: ନାବାଳିକାଙ୍କୁ ଅସଦାଚରଣ ମାମଲାରେ ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ଅଛନ୍ତି ଆଶାରାମ । ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସେ ଗୁଜରାଟ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ବାସ୍ତବରେ COVID-19 ସଂକ୍ରମଣ କାରଣରୁ ଦେଶରେ କିଛି ବନ୍ଦୀଙ୍କୁ ଜାମିନରେ ମୁକ୍ତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଶାରାମଙ୍କ ଓକିଲ ଏସ.ଭି. ରାଜୁ ୪ ମାସର ଅସ୍ଥାୟୀ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ । ଆବେଦନରେ ଦର୍ଶାଯାଇଥିବା ଯେ ଦୋଷୀଙ୍କୁ ୮୪ ବର୍ଷ ବୟସ ହୋଇଛି । ବୟସ ଏବଂ ବର୍ତ୍ତମାନର ପରିସ୍ଥିତିରେ ଦୋଷୀ ସୁରକ୍ଷିତ ରହିବ ନାହିଁ ଏବଂ ତାଙ୍କ ଦ୍ବାରା ଜେଲର ଅନ୍ୟ କଏଦୀଙ୍କୁ ସଂକ୍ରମଣର ଆଶଙ୍କା ବଡିପାରେ । ତେଣୁ ଅସ୍ଥାୟୀ ଜାମିନ୍ ପ୍ରଦାନ କରାଯିବା ଉଚିତ୍ ।

ସରକାରୀ ଓକିଲ ଜାମିନ୍ ଆବେଦନକୁ ବିରୋଧ କରିଥିଲେ । ଶୁଣାଣି ପରେ ଜଜ୍ ଆଶାରାମଙ୍କ ୪ ମାସର ଜାମିନ୍ ଆବେଦନକୁ କାରଜ କରିଦେଇଛନ୍ତି । ଏହାପୂର୍ବରୁ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀ ମଧ୍ୟ ଆଶାରାମଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ । ଏନେଇ ସେ ଟ୍ବିଟ୍ ମଧ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ ଦିନିଆ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ଘରୁ ବାହରିବାକୁ ଅନୁମତି ନାହିଁ । ଜେଲରେ ଥିବା କଏଦୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ସୁପ୍ରିମକୋର୍ଟ କହିଥିଲେ ଯେ, ୭ ବର୍ଷରୁ କମ୍ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରାଯାଉ । ତେବେ ଆଶାରାମ ଆଜୀବନ ଦଣ୍ଡ ଭୋଗୁଥିବା କଏଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.