୨୭ ଲକ୍ଷ ଚାଷୀଙ୍କ ପାଇଁ ଗୁଜୁରାଟ ସରକାର ଘୋଷଣା କଲେ ୩୭ ଶହ କୋଟି ଟଙ୍କା ପ୍ୟାକେଜ

Published By : Prameya-News7 Bureau | September 22, 2020 IST

ଗାନ୍ଧିନଗର ୨୨/୦୯: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଚାଷୀଙ୍କ ପାଇଁ ୩୭ ଶହ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି। ଚଳିତବର୍ଷ ଲଗାଣ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଥିବାରୁ ଆର୍ଥିକ ସହାୟତା ରୂପରେ ଏହି ପ୍ୟାକେଜ ଚାଷୀଙ୍କୁ ଦିଆଯିବ। ପ୍ରାୟ ୨୭ ଲକ୍ଷ ଚାଷୀଙ୍କୁ ଏହି ପ୍ୟାକେଜର ଲାଭ ମିଳିବ।

ଗତକାଲିଠୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରୂପାଣୀ ଚାଷୀଙ୍କୁ ଏହି ପ୍ୟାକେଜ ଘୋଷଣା କରି ବଡ଼ ଆଶ୍ବସ୍ତି ଦେଇ ଥିଲେ। ଏହି ପ୍ୟାକେଜରେ କଛ, ଦେବଭୂମି ଦ୍ବାରକା, ଭରୁଚ, ପାଟଣା, ଅହମଦାବାଦ, ପୋରବନ୍ଦର, ରାଜକୋଟ, ଗିର ସୋମନାଥ, ମହେଶାଣା, ବୋଟାଦ, ସୁରେନ୍ଦ୍ରନଗର, ଭାବନଗର, ସୁରଟ, ନବସାରୀ, ନର୍ମଦା ଓ ଆଣାନନ୍ଦ ଚାଷୀଙ୍କୁ ଲାଭ ମିଳିବ। ଯେଉଁଥିରେ ୩୩ ପ୍ରତିଶତ ଅଥବା ଏହାଠାରୁ ଅଧିକ ଫସଲ କ୍ଷତି ସହି ଥିବା ଚାଷୀଙ୍କୁ ଦୁଇ ହେକ୍ଟେର ସୀମାରେ ପ୍ରତି ହେକ୍ଟେରକୁ ୧୦ ହଜାର ଟଙ୍କା ସହାୟତା ମିଳିବ। ପ୍ୟାକେଜ ଅନୁସାରେ ନ୍ୟୁନତମ ସହାୟତା ରାଶି ପାଞ୍ଚ ହଜାର ଟଙ୍କା ହେବ।

ଗୁଜୁରାଟରେ ସମୁଦାୟ ୩୩ ଜିଲ୍ଲାରେ ଅତ୍ୟଧିକ ବର୍ଷା ଯୋଗୁ ୨୦ ଜିଲ୍ଲାର ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ପ୍ରଭାବିତ ଚାଷୀ ଅକ୍ଟୋବର ୧ରୁ ଏ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଅଗଷ୍ଟ ମାସରେ ଭାରି ବର୍ଷା ଯୋଗୁ ବାଦାମ, ତେଲ, ବାଜରା, ପନିପରିବା ଆଦି ଚାଷ ନଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ଏ ନିଷ୍ପତିରେ ୨୭ ଲକ୍ଷ ଚାଷୀଙ୍କୁ ଫାଇଦା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.