ଗୁଜରାଟ ଉପ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ଖୋଲା ଅଫର, ୨୦ ବିଧାୟକ ଆଣନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ

Published By : Prameya-News7 Bureau | March 02, 2020 IST

ଗାନ୍ଧିନଗର ୦୨।ମାର୍ଚ୍ଚ- ରାଜ୍ୟସଭାରେ ଖାଲି ହେଉଥିବା ଚାରି ଆସନ ଉପରେ ମାର୍ଚ୍ଚ ୨୬ରେ ହେବାକୁ ଥିବା ଭୋଟିଂ ପୂର୍ବରୁ ଗୁଜରାଟରେ ରାଜନୀତି ସରଗରମ ହୋଇ ଉଠିଛି। ମାତ୍ର ଏହି ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ। ବିରୋଧୀ କଂଗ୍ରେସ ନୀତିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଖୋଲା ଅଫର ଦେଇ ରାଜନୀତିକୁ ଆହୁରି ରୋଚକ କରିଛି। କଂଗ୍ରେସ ଏହି ଅଫର ଆଉ କୌଣସି ସ୍ଥାନରେ ନୁହଁ ସିଧା ବିଧାନସଭାରେ ଦେଇଛି। ଏହି ଘଟଣାର ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ସୋମବାର ବିଧାନସଭାରେ ପ୍ରଶ୍ନକାଳ ଚାଲି ଥିଲା। ଆଲୋଚନା ସମୟରେ କଥା କଥାରେ ଅମରେଲୀ ଜିଲ୍ଲାର ଲାଠି ବିଧାନସଭାର ବିଧାୟକ ବିରଜୀ ଠୁମରନେ ଅଚାନକ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ନାମ ନେଇଥିଲେ। ବିରଜୀ ପଟେଲଙ୍କୁ ୨୦ ବିଧାୟକ ସହିତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବାକୁ ଖୁଲା ଅଫର ଦେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଆପଣ ୨୦ ବିଧାୟକ ସହିତ କଂଗ୍ରେସରେ ଯୋଗ ଦିଅନ୍ତୁ, ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବୁ। ବିରଜୀଙ୍କ ଏହି ବୟାନ ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା।

ଏବେ ବିଜେପି ନୀତିନ ପଟେଲଙ୍କ ସପକ୍ଷରେ ଆଗକୁ ଆସିଛି। ଗୁଜରାଟ ବିଜେପି ବିଧାନସଭାରେ ମିଳିଥିବା ଅଫରକୁ ନେଇ କହିଛି ଯେ, କଂଗ୍ରେସ ନୀତିନ ପଟେଲଙ୍କୁ ଟାର୍ଗେଟ୍ କରୁଛି। ରାଜନୈତିକ ବିଶେଷଜ୍ଞ ଏହି ଘଟଣାକୁ ରାଜ୍ୟସଭା ନିର୍ବାଚନ ପାଇଁ ହେବାକୁ ଥିବା ଭୋଟିଂ ପୂର୍ବରୁ ଏହା କଂଗ୍ରେସର ରଣନୀତି  ବୋଲି କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ଏ ପର୍ଯ୍ୟନ୍ତ କଂଗ୍ରେସର  ବିଧାୟକ ଦଳ ବଦଳ କରି ବିଜେପିରେ ସାମିଲ ହୋଇ ଆସିଛନ୍ତି। ଏବେ କଂଗ୍ରେସ ବିଧାୟକଙ୍କ ଏହି ବୟାନ ବିଜେପି ପକ୍ଷରୁ ଘୋଡା ବେପାର ଆରମ୍ଭ  ହେବା ପୂର୍ବରୁ ନିଜ ଦଳକୁ ବଞ୍ଚାଇ ରଖିବା ପାଇଁ ଏହାକୁ ଏକ ରଣନୀତି ଭାବେ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.