କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଗିରଫ, ୨୪ ବର୍ଷ ହେଲା ଫେରାର ଥିଲା ଅବଦୁଲ ମାଜିଦ

Published By : Prameya-News7 Bureau | December 27, 2020 IST

ଅହମଦାବାଦ ୨୭/୧୨ : ଗୁଜୁରାଟ ଆଣ୍ଟି ଟେରର୍ ସ୍କ୍ବାଡ୍‌କୁ ବଡ ଧରଣର ସଫଳତା ମିଳିଛି । ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଏଟିଏସ୍ । ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅବଦୁଲ ମାଜିଦକୁ ଝାରଖଣ୍ଡରୁ ଗିରଫ କରିଛି ଗୁଜରାଟ ଏଟିଏସ୍ । ସେ ୨୪ ବର୍ଷ ହେବ ଫେରାର ଥିଲା । ଏଟିଏସ୍‌ର ଜଣେ ଅଧିକାରୀ କହିଛନ୍ତି ଅବଦୁଲକୁ ୧୯୯୬ ମସିହାରୁ ଖୋଜା ଚାଲିଥିଲା ।

ସୂଚନା ଅୁନସାରେ ଦାଉଦ୍‌ର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ କେରଳର ବାସିନ୍ଦା । ଏଟିଏସ୍‌ର ଅଧିକାରୀଙ୍କ କହିବା କଥା ଅବଦୁଲ ମାଜିଦକୁ ୧୯୯୬ ମସିହାରେ ୧୦୬ଟି ପିସ୍ତଲ, ୭୫୦ କାଟ୍ରିଜ୍ ଏବଂ ପ୍ରାୟ ୪ କିଲୋଗ୍ରାମ୍ ଆରଡିଏକ୍ସ୍ ରଖିବା ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ସେବେଠାରୁ ଅବଦୁଲ ମାଜିଦ ଫେରାର ଥିଲା । ଦାଉଦ୍ ଇବ୍ରାହିମର ସହଯୋଗୀ ଅବଦୁଲ ମାଜିଦର ଗିରଫଦାରୀ ଗୁଜରାଟ ଏଟିଏସ୍ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ।

ଅବଦୁଲକୁ ଗିରଫ କରିବା ପରେ ଦାଉଦ୍ ସହିତ କେଉଁ କେଉଁ ମାମଲରାରେ ଜଡିତ ଅଛି ତାହା ଜଣାପଡିବ । କୁଖ୍ୟାତ ଆତଙ୍କବାଦୀ ଦାଉଦ୍ ଇବ୍ରାହିମର ଅନେକ ସହଯୋଗୀ ବିଭିନ୍ନ ସଂଗଠନ ସହ ଜଡିତ । ତେବେ ବର୍ତ୍ତମାନ ଅବଦୁଲକୁ ଗିରଫ କରିବା ପରେ ଭାରତରେ ଦାଉଦ୍‌ର ଆଉ କେହି ସହଯୋଗୀ ଲୁଚିଛନ୍ତି କି ନାହିଁ ତାହା ଏକ ବଡ ଚ୍ୟାଲେଞ୍ଜ୍ ହୋଇପାରେ ।

କାରଣ ପୂର୍ବରୁ ମଧ୍ୟ ଅନେକ ଆତଙ୍କବାଦୀଙ୍କୁ ଭାରତରୁ ଗିରଫ କରାଯାଇଛି ଏବଂ ସେମାନଙ୍କର ଲିଙ୍କ୍ ଦାଉଦ୍ ଇବ୍ରାହିମ, ଓସାମା ବିନ୍ ଲାଡେନ୍ ଏବଂ ମାସୁଦ ଆଝାର ଭଳି କୁଖ୍ୟାତ ଆତଙ୍କବାଦୀଙ୍କ ସହ ରହିଥିଲା । ଅବଦୁଲକୁ ଗିରଫ କରାଯିବା ପରେ ବର୍ତ୍ତମାନ ଏଟିଏସ୍‌ ତାକୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.