୬୦ ସେକେଣ୍ଡରେ ମାରିଲେ ୪୨୬ ଥର ମୁଥ, ଗିନିଜ୍ ବିଶ୍ୱ ରେକର୍ଡସରେ ପାଇଲେ ସ୍ଥାନ ; ଏବେ ବ୍ରୁସ୍‌ ଲିଙ୍କ ରେକର୍ଡ ବ୍ରେକ୍‌ ଳକ୍ଷ୍ୟ

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨।୦୯: କୋଝିକୋଡ୍‌ର ରଫ୍‌ହାନ ଉମ୍ମର ପଞ୍ଚିଙ୍ଗ ପ୍ୟାଡ୍‌ରେ ୬୦ ସେକେଣ୍ଡରେ ୪୨୬ ଥର ମୁଥ ମାରି ଗିନିଜ୍‌ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହାଦ୍ୱାରା ରଫ୍‌ହାନ ସ୍ଲୋଭାକିଆର କିକ୍‌ବକ୍ସର ଓ ମାର୍ଶଲ ଆର୍ଟିଷ୍ଟ ପାଭେଲ ଟ୍ରୁସୋଭ୍‌ଙ୍କ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ପାଭେଲ ମୋଟ୍‌ ୩୩୪ ମୁଥ ମାରି ବିଶ୍ୱ ରେକର୍ଡ କରିଥିଲେ ।

କୁଙ୍ଗ ଫୁରେ ଦୀର୍ଘ ୮ ବର୍ଷର ଅଭିଜ୍ଞତା ଏବଂ ବକ୍ସିରେ ୪ ବର୍ଷର ଅଭିଜ୍ଞତାଯୁକ୍ତ ରଫ୍‌ହାନଙ୍କ ପାଇଁ ଏହା ଅତି ସହଜ କାମ ଥିଲା । ସେ କହନ୍ତି ‘ମୋର ସାଙ୍ଗମାନେ ଲକ୍ଷ୍ୟ କଲେ ଯେ ମୁଁ କେତେ ଦ୍ରୁତ ମୁଥ ମାରିପାରୁଛି । ତା’ପରେ ସେମାନେ ମୋର ଏକ ଭିଡିଓ ପ୍ରସ୍ତୁତ କରି ମୋତେ ଦେଖାଇଲେ । ସେମାନଙ୍କଠାରୁ ମୁଁ ଫୁଲ୍‌ ଏକ୍ସଟେନ୍‌ସନ ପଞ୍ଚିଂ ବିଷୟରେ ଶୁଣିଲି ।’ ରେକର୍ଡ ପାଇଁ ଆବେଦନ କରିବା ପୂର୍ବରୁ ରଫ୍‌ହାନ ୧୫ ସେକେଣ୍ଡର ଏକ ଭିଡିଓ ରେକର୍ଡ କଲେ, ଯେଉଁଥିରେ ସେ ଥରକେ ୧୦୦ରୁ ଅଧିକ ମୁଥ ମାରିଲେ ।

ଏହା ପରେ ସେ ବିଶ୍ୱ ରେକର୍ଡ ଭାଙ୍ଗିବା ବିଷୟରେ ଚିନ୍ତା କଲେ । ରଫ୍‌ହାନ ଜଣେ ଫିଟ୍‌ନେସ କୋଚ୍‌ । ୪୧୪ ଥର ମୁଥ ମାରି ସେ ୫ ମାସ ତଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିଲେ । ଫୁଲ୍‌ ଏକ୍ସଟେନ୍‌ସନ ପଞ୍ଚ୍‌ର ଅର୍ଥ ମୁଥ ମାରିବା ପାଇଁ ଯେଉଁ ହାତ ଯାଏ, ତାହା ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦିଷ୍ଟ ସ୍ଥାନକୁ ଫେରିଥାଏ । ରେକର୍ଡ ପ୍ରୟାସରେ ପୂରା ୧ ମିନିଟ୍‌ ଧରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ମୁଥର ଶକ୍ତି ଓ ଗତିକୁ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ରଫ୍‌ହାନ କହିଛନ୍ତି ।

ତେବେ ଏ ପ୍ରକାର ମୁଥ ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ନାହିଁ । ଦୈନନ୍ଦିନ କସରତ ସହ ଏ କ୍ଷେତ୍ରରେ ଅଭ୍ୟାସ ଲାଗି ସେ କିଛି ସମୟ ଦିଅନ୍ତି । ତାଙ୍କ କୁଙ୍ଗ ଫୁ ମାଷ୍ଟର ଏଥିରେ ମାର୍ଗଦର୍ଶନ କରିଥିଲେ । ରେକର୍ଡ ପାଇଁ ମାସେ ଧରି ସେ ଅଭ୍ୟାସ କରିଥିଲେ । ୧ ମିନିଟ୍‌ ପର୍ଯ୍ୟନ୍ତ ଅବିରତ ମୁଥ ମାରି ଚାଲିବା ଉପରେ ସେ ଫୋକସ୍‌ କରୁଥିଲେ । ଏତିକିରେ ରଫ୍‌ହାନ ସନ୍ତୁଷ୍ଟ ନୁହନ୍ତି । ୧ ସେକେଣ୍ଡରେ ୯ ମୁଥ ମାରି ବିଶ୍ୱ ରେକର୍ଡ କରିଥିବା ତାଙ୍କ ଆଦର୍ଶ ବ୍ରୁସ୍‌ ଲିଙ୍କ ପୂର୍ବ ରେକର୍ଡ ଭାଙ୍ଗିବା ତାଙ୍କର ଲକ୍ଷ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.