କାଲିଠୁ ଚାଲିବ ବସ୍, ରାତି କର୍ଫ୍ୟୁ ଉଠିଲା, କେବଳ ଶନିବାର ସରକାରୀ ଅଫିସ୍ ବନ୍ଦ : ସେପ୍ଟେମ୍ବର ପାଇଁ କୋଭିଡ୍ ରଣନୀତି ଆସିଲା

Published By : Prameya-News7 Bureau | August 31, 2020 IST

ଭୁବନେଶ୍ୱର, ୩୧|୦୮:  ରାଜ୍ୟ ସରକାର ଅନଲକ୍ -୪ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କୋଭିଡ୍-୧୯ ଜନିତ ପରିସ୍ଥିତିରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଗାଇଡଲାଇନସରେ ଅନେକ କିଛି ବିଶେଷ ପରିବର୍ତ୍ତନ ମଧ୍ୟ ରହିଛି । ମୋଟାମୋଟି ଭାବେ କୋଭିଡ୍ କଟକଣା କୋହଳ ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବସ୍ ଚଳାଚଳ କରିବ । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଏବେ ବସ୍ ଚଳାଚଳରେ କଟକଣା ନାହିଁ । ରାତ୍ରିକାଳିନ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର । କିନ୍ତୁ ଦୋକାନ ବଜାର ଖୋଲିଲେ ବି ମାସ୍କ, ସୋସିଆଲ ଡିଷ୍ଟାନ୍ସିଂ ଭଳି କୋଭିଡ୍ ଗାଇଡଲାଇନ୍ ବଳବତ୍ତର ରହିବ । ତେବେ ସପ୍ତାହ ଶେଷରେ ଦୁଇଦିନିଆ ସଟଡାଉନ୍ ଏବେ ହଟିଛି । କିନ୍ତୁ କେବଳ ଶନିବାର ସରକାରୀ ଅଫିସ ବନ୍ଦ ରହିବ । ଅନ୍ୟପକ୍ଷରେ ୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପୂଜାଛୁଟି ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ,ଭାରକ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ସ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନେକ କାର୍ଯ୍ୟକ୍ରମ ତଥା ଚଳପ୍ରଚଳକୁ ଉନ୍ମକ୍ତ କରାଯାଇଛି । ଗତ ୨୯ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ସ ୩୦ ସେପ୍ଟେମ୍ବର ଯାଏଁ ବଳବତ୍ତର ରହିବ  । ଏହି ଡାଇଡଲାଉନ୍ ଭିତରେ ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନ୍ ଜାରି କିରଛନ୍ତି । ଏହି ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ୩୦ ସେପ୍ଟେମ୍ବର ଯାଏଁ ଲକଡାଉନ୍ ବଳବତ୍ତର ରହିବ । କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡ ଲାଇନ୍ ଅନୁୟାୟୀ, ଜିଲ୍ଲାପାଳ ମୁନିସିପାଲ କମିଶନର ଇତ୍ୟାଦି ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବ । କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ ସେବା ଏବଂ ଅତି ଜରୁରୀ ଆବଶ୍ୟକତା କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ । ପୂର୍ବ ଭଳି କଣ୍ଟେନମେଣ୍ଟ୍ ଜୋନ୍ ଭିତରେ ଓ ବାହାରକୁ ଚଳପ୍ରଚଳ ମନା । କେବଳ ଡାକ୍ତରୀ ଚିକିତ୍ସା ଭଳି ଜରୁରୀ ସ୍ଥିତି ଓ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଲାଗି ଅନୁମତି ଦିଆଯିବ । ଏହାସହ ଘରକୁ ଘର  ସର୍ଭିଲାନ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ହସ୍ତକ୍ଷେପକୁ ଅନୁମତି ଦିଆଯିବ । ଜିଲ୍ଲା ଏବଂ ଉପଖଣ୍ଡ, ସହରାଞ୍ଚଳ ଏବଂ ତାଠାରୁ ବାହାରେ ଥିବା ସ୍ଥାନରେ (କମ୍ଟେନମେଣ୍ଟ ଜୋନ୍ ବିନା) କୌଣସି କର୍ତୃପପକ୍ଷ ଲକଡାଉନ୍ ଜାରି କାରିପାରିବେ ନାହିଁ ।

ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ୩୦ ସେପ୍ଟେମ୍ବର ପର୍ୟ୍ୟନ୍ତ ବିଭିନ୍ନ ଧାର୍ମିକ ସ୍ଥଳ, ସର୍ବସାଧାରଣ ପୂଜାସ୍ଥଳୀ ବନ୍ଦ ରହିବ । ଗୃହ ମନ୍ତ୍ରାଳୟଙ୍କ ଅନୁମତି ପ୍ରାପ୍ତ ବ୍ୟତିରେକ ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ସିନେମା ହଲ୍, ସ୍ୱିମିଂ ପୁଲ୍, ଆମୋଦପ୍ରମୋଦ ଯୁକ୍ତ ଅଟାଳକା, ଥିଏଟର୍ ଅଡିଟୋରିୟମ, ଆସେମ୍ବଲୀ ହଲସ୍, ବିଭିନ୍ନ ବୈଠକ ଗୃହ ଇତ୍ୟାଦି ବନ୍ଦ ରହିବ । ତେବେ ଖୋଲା ଏୟାର ଥିଏଟର୍ସ ଭଳି ସମାନ ସ୍ଥାନ ୨୧ ସେପ୍ଟେମ୍ବର ପରେ ଖୋଲାଯିବାକୁ ଅନୁମତି ରହିଛି । ବହୁ ଲୋକଙ୍କ ସମାଗମ ହେଉଥିବା ସାମାଜିକ, ରାଜନୈତିକ କ୍ରୀଡା ଭିତ୍ତିକ, ଶୈକ୍ଷିକ କାର୍ଯ୍ୟକ୍ରମ, ସାସ୍କୃତିକ ଧାର୍ମିକ ଉତ୍ସବ ଇତ୍ୟାଦିକୁ ଅନୁମତି ନାହିଁ । ସ୍କୁଲ,କଲେଜ ,ବିଶ୍ୱବିଦ୍ୟାଳୟ , କୋଚିଂ ପ୍ରତିଷ୍ଠାନ ଓ ଅନ୍ୟ ଶିକ୍ଷା ତାଲିମ ଅନୁଷ୍ଠାନ, ଅଙ୍ଗନବାଡି ଇତ୍ୟାଦି ପୂଜା ଛୁଟି ଯାଏଁ ବନ୍ଦ ରହିବ । ତେବେ ଏହି ସମୟରେ ପରୀକ୍ଷା  ଆୟୋଜନ, ମୂଲ୍ୟାୟନ ଏବଂ ଅନ୍ୟ ପ୍ରଶାସନିକ କାର୍ଯ୍ୟକ୍ରମକୁ ଅନୁମତି ରହିଛି । ଅନଲାଇନ୍ ଏବଂ ଦୂରଶିକ୍ଷା ବଳବତ୍ତର ରହିବ । ସ୍କୁଲ, କଲେଜ ଗୁଡିକରେ ୫୦ ପ୍ରତିଶତ ଶିକ୍ଷତ, ଅଣଶିକ୍ଷକ କର୍ମଚାରୀବିଭିନ୍ନ କାର୍ଯ୍ୟ ପାଇଁ ସ୍କୁଲକୁ ଆସିପାରିବେ । ସେଥିପାଇଁ ୨୧ ତାରିଖ ପରେ ହିଁ ଅନୁମତି ରହିଛି । କୌଶଳ ବିକାଶ ଏବଂ ଔଦଗ୍ୟିକ ତାଲିମ୍ ପାଇଁ ଅନୁମତି ରହିଛି । ସେଗୁଡିକ କେବଳ ଏନଏସଟି ଏବଂ ଆଇଟିଆଇ ଗୁଡିକରେ ଅନୁମତି ରହିଛି । ତାହା ବି ସେପ୍ଟେମ୍ବର ୨୧ ତାରିଖ ପରେ ।

ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ କୋଭିଡ-୧୯ର ନିରାକରଣ ପାଇଁ ଉଦ୍ଦିଷ୍ଚ ଏସଓପି ପାଳନ କରିବାକୁ ବାଧ୍ୟ । ସର୍ବସାଧାରଣ ଲାଗି ମାସ୍କ ବାଧ୍ୟତାମୂଳକ ଥିଲା ବେଳେ ସାମାଜିକ ଦୂରତା ନିହାତି ଜରୁରୀ । ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ସହ ସେଲୁନ୍ ସ୍ପା ଆଦି ମଧ୍ୟ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଜରୁରୀ । ବିବାହ ଉତ୍ସବରେ ୫୦ ଜଣ ଏବଂ ଅନ୍ତେଷ୍ଟିରେ ୨୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ରହିଚି । ସର୍ବସାଧାରଣ ସ୍ଥାନରେ ମଦ,ପାନ, ଗୁଟଖା, ତମାଖୁ ଆଦି ସମ୍ପୂର୍ଣ୍ଣ ନିଷେଧ । ବସ୍ ଏବଂ ଯାନବାହାନ ଚଳାଚଳ ଲାଗି ରାଜ୍ୟ ଭିତରେ ଓ ବାହାରେ କୌଣସି କଟକଣା ନାହିଁ । ଅର୍ଥାତ ସେପ୍ଟେମ୍ବର ୧ରୁ ବସ୍ ଚଳପ୍ରଚଳ ପାଇଁ ଅନୁମତି ରହିଛି । ବୃଦ୍ଧ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଶିଶୁ ଇତ୍ୟାଦିଙ୍କ ପାଇଁ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ରଖିଛନ୍ତି ସରକାର । ଆରୋଗ୍ୟ ସେତୁ ବ୍ୟବହାର ପାଇଁ ପରାମର୍ଶ ସହ କଡାକଡି ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.