କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମା: ଡିଜିପି, ଜିଲ୍ଲାପାଳ, ମ୍ୟୁନିସିପାଲିଟି ଏବଂ ଏନଏସି ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି
16/04/2020 at 4:14 PM

ଭୁବନେଶ୍ବର୧୬/୪: କଣ୍ଟେନମେଣ୍ଟ ଜୋନ୍ ପାଇଁ ନିର୍ଦ୍ଦେଶନାମା । କରୋନାକୁ ଆଖିରେ ରଖି ସାରା ରାଜ୍ୟରେ କେଉଁ ନିୟମ ଆଧାରରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ସେନେଇ ପୋଲିସ ଡିଜିଙ୍କ ସମେତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି ଏବଂ ଏନଏସି ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏଥି ପାଇଁ ୯ଟି ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଜିଲ୍ଲା କିମ୍ବା ମ୍ୟୁନିସିପାଲ ସ୍ତରରେ କଣ୍ଟେନକେଣ୍ଟ ଜୋନ ଘୋଷଣା କରିବାର କ୍ଷମତା କେବଳ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଛି ।
ତେଣୁ ଜିଲ୍ଲାସ୍ତରରୁ କୋଭିଡ-୧୯ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯିବା ପରେ ସ୍ବାସ୍ଥ୍ୟ ବିଭାଗ ଏଥି ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ବିଜ୍ଞପ୍ତି ପ୍ରକାଶ କରିବ । ସେହିଭଳି କଣ୍ଟେନମେଣ୍ଟ ଜୋନ ସେହି ଅଞ୍ଚଳର ସଂକ୍ରମଣକୁ ରୋକିବା ଏବଂ ଆଇସୋଲେଟ କରିବା ପାଇଁ ହିଁ ଉଦ୍ଦିଷ୍ଟ ଅଟେ । ସେହିଭଳି କଣ୍ଟେନମେଣ୍ଟ ଜୋନକୁ ଚାରିପଟୁ ଘେରାବନ୍ଦୀ କରାଯିବା ଦରକାର । ଯାହା ଫଳରେ ଲୋକମାନଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିପାରିବ। ସେହିଭଳି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି ଓ ଏକାକି ରହୁଥିବା ମହିଳାଙ୍କ ଘରକୁ ଚିହ୍ନଟ କରାଯିବା ଦରକାର । ସଂପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇସାରିବା ପରେ ସେଠାକୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ଶିକ୍ଷକ ମାନଙ୍କ ଏକ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ । ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବେ ମେଡିକାଲ ଅଫିସର । ଏଥି ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ RMRC ।
ସେହିପରି ଫ୍ଲୁ ପରି ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ । ଏମିତି କି ଲକ୍ଷଣ ନଥିବା ଲୋକଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଇପାରିବେ । କଣ୍ଟେନମେଣ୍ଟ ଜୋନରେ ବିଶୋଧନ କାର୍ଯ୍ୟ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ ଅଧିକାରୀ ତଦାରଖରେ କରାଯିବ । ସଂପୃକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସେବା ଔଷଧ ଇତ୍ୟାଦି କିଭଳି ଲୋକଙ୍କ ଘରେ ପହଁଞ୍ଚିବ ସେଥି ପାଇଁ ଅଧିକାରୀମାନେ ଧ୍ୟାନଦେବେ ।

କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ରହୁଥିବା ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ହ୍ବାଟସ୍ଆପ୍ ଗ୍ରୁପ୍ କରାଯିବ । ଯେଉଁଥିରେ ସଂପୃକ୍ତ ଅଞ୍ଚଳର କେତେ ଜଣଙ୍କ ନମୁନା ପରୀକ୍ଷା ହେଲା, ତାହାର ଫଳ କଣ ଆସିଲା । ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ସଂପୃକ୍ତ ଅଞ୍ଚଳରେ କଣ କାର୍ଯ୍ୟ ଚାଲିଛି ସେନେଇ ଟିଭି ଜରିଆରେ, ପାମ୍ ପ୍ଲେଟ ବାଣ୍ଟି, ହ୍ବାଟସ ଆପ୍ ଦେଇ, ଲାଉଡ ସ୍ପିକର ବଜାଇ ଲୋକଙ୍କୁ ଅବଗତ କରାଯିବ। ଯଦି ଦୁଇ ରାଉଣ୍ଡ ସର୍ଭେ ପରେ କୌଣସି ନୂଆ କେସ୍ ଚିହ୍ନଟ ହେଲା ନାହିଁ , ତେବେ ସଂପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ହଟାଇବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବେ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲଟି ଅଧିକାରୀ।