ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ଗାଇଡଲାଉନ୍ ଅନୁଯାୟୀ ରଖାଯିବ ନଜର

Published By : Prameya-News7 Bureau | September 12, 2020 IST

ଭୁବନେଶ୍ୱର ୧୨।୦୯: ଆସନ୍ତାକାଲି ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣାରେ ପରିବହନ ସେବା ସହ ରହଣୀ ସୁବିଧା ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଏ.କେ ଶତପଥୀ। ଏହି ପରୀକ୍ଷାରେ ୩୭ହଜାର ୪୫୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଓଡିଶା ସରକାର ପରିକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକଙ୍କ ପାଇଁ ଟ୍ରାନ୍ସପୋର୍ଟ ସୁବିଧା ସହ ରହିବା ପାଇଁ ରହଣୀ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ବସ୍ ସୁବିଧା କରାଯାଇଛି ।

ରାଜ୍ୟ ନୋଡାଲ ଅଫିସର ପଲି ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱର , କଟକ, ଅନୁଗୁଳ , ବହ୍ମପୁର , ରାଉଲକେଲା , ବାଲେଶ୍ୱର ଏବଂ ସମ୍ବଲପୁର ସେଣ୍ଟରରେ ପରୀକ୍ଷାର୍ଥୀ ମାନଙ୍କର ଥର୍ମାଲ ସ୍କିନିଂ କରାଯିବ । ପରୀକ୍ଷାର୍ଥୀଙ୍କୁ ମାସ୍କ ଦେଉଛି NTA। ପରୀକ୍ଷାର୍ଥୀମାନେ ଯେଉଁ ସ୍ଥାନରେ ରହୁଛନ୍ତି, ସେମାନଙ୍କୁ ମାସ୍କ ଦିଆଯାଇଛି। ପ୍ରତି ପରୀକ୍ଷା ରୁମରେ ୧୨ ଜଣ ପରୀକ୍ଷାର୍ଥୀ ବସିବେ। ଯଦି କାହାର ତାପମାତ୍ରା ଅଧିକ ଥିବ, ସେମାନଙ୍କ ପାଇଁ ଆଇସୋଲେସନ ରୁମ୍‌ରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ନିୟନ୍ତ୍ରକମାନେ ସେହି ରୁମରେ PPE କିଟ ପିନ୍ଧିବେ।

ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ କହିଛି ପରୀକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକ ମାନଙ୍କ ପାଇଁ ୫ଟି ଇଂଜିରିୟରିଂ କଲେଜରେ ରହଣୀ ସୁବିଧା କରାଯାଇଛି । ଏହା ସହ ମେଡିକାଲ ଟିମ ମାନେ ମଧ୍ୟ ନିୟୋଜିତ ରହିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ସେପଟେ ଇଷ୍ଟ କୋଷ୍ଟ ରେଲବାଇ ପକ୍ଷରୁ ନିଟ୍ ପରୀକ୍ଷା ପାଇଁ ରେଳ ଚଳାଇବା ନେଇ କହିଛି । ରେଳ ଗୁଡିକ ଖାରିଆର ରୋଡରୁ ସମ୍ୱଲପୁର ଦେଇ ଟିଟିଲାଗଡ , ରାୟଗଡାରୁ ସମ୍ୱଲପୁର , ଭଦ୍ରକରୁ ଭୁବନେଶ୍ୱର ଦେଇ କଟକ ଏବଂ କେନ୍ଦୁଝରରୁ ଭୁବନେଶ୍ୱର ଦେଇ କଟକ ଯିବା ନେଇ ରେଳବାଇ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.