ନନ୍ଦନକାନନ ପାଇଁ ଜାରି ହେଲା ଗାଇଡଲାଇନ୍: ଦିନକୁ ୨୫୫୦ ପର୍ଯ୍ୟଟକଙ୍କୁ ମିଳିବ ଟିକେଟ୍, ବୟସ୍କ ଓ ଶିଶୁଙ୍କୁ ନାହିଁ ଅନୁମତି

Published By : Prameya-News7 Bureau | October 01, 2020 IST

ଭୁବନେଶ୍ୱର,୦୧/୧୦ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ୪ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା ବ୍ୟାଧି ସଂକ୍ରମଣ ପ୍ରତିଷେଧକ ସ୍ୱରୂପ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଏଥି ପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ମୁଖ୍ୟତଃ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରି ଦିଆଯାଇଛି । ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ । ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ । ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ ।

ସୂଚୀତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ପର୍ଯ୍ୟଟକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସବୁ ରକମର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ପ୍ରାଣୀ ଉଦ୍ୟାନ ପରିଦର୍ଶନ ଦିଗରେ ଇଚ୍ଛୁକ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବାକୁ ପ୍ରାଥମିକତା ଦିଆଯାଇଛି । ବାକି ଟିକେଟ୍‌ ଘର ନିକଟରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନାର ସ୍ଥାନେ ସ୍ଥାନେ କ’ଣ କରିବ ଓ ନକରିବ ତାହାର ଫଳକ ଲଗାଯିବ । ଟିକେଟ ଘର, ପ୍ରବେଶ ପଥ, ଶୌଚାଳୟ ଓ ବାରଣ୍ଡା ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଚିହ୍ନ ଦିଆଯିବ । ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରୁଥିବା ଠିକାଦାର, କର୍ମଚାରୀ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ରେଲିଂ, ବାଡ଼ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାରଯୋଗ୍ୟ ସ୍ଥାନ ଗୁଡ଼ିକ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ସାନିଟାଇଜର ରଖାଯିବ ।

ମାସ୍କ ନ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ିବା ବାରଣ କରାଯାଇଛି । ୭ ବର୍ଷ ଶିଶୁ ଠାରୁ ଆରମ୍ଭ କରି ସମସ୍ତେ ନାକ ଓ ପାଟି ମାସ୍କରେ ଘୋଡ଼ାଇ ଭିତରେ ପ୍ରବେଶ କରିବେ । ସେହିଭଳି ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରବେଶ ପଥରେ ସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ବରିଷ୍ଠ ନାଗରିକ ଓ ନବଜାତଙ୍କୁ ପରିଦର୍ଶନ ପାଇଁ ନ ଆଣିବାକୁ ପରାମର୍ଶ ଦିଆଯାଇଛି । ପ୍ରବେଶ ପଥ ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଔଷଧୀୟ ମ୍ୟାଟ ଉପରେ ଚାଲି ପର୍ଯ୍ୟଟକଗଣ ଭିତରକୁ ଯିବେ । ସେଠାରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜ କରିବା ବ୍ୟବସ୍ଥା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ୟାନ ଭିତରେ ଛେପ ପକାଇବା, ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି ।

ପର୍ଯ୍ୟଟକ ଓ ଚିଡ଼ିଆଖାନା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ । କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନା ଭିତରେ ଥିବା ରେଷ୍ଟ୍ରୁରାଣ୍ଟରେ ସାମାଜିକ ଦୂରତା ରଖି ସହିତ ଖାଦ୍ୟଯୋଗାଣ ହେବ । ଖାଦ୍ୟଯୋଗାଣରେ କୌଣସି ବାସନକୁସନ ବ୍ୟବହାର ହେବନି । ବିଶ୍ରାମ ପାଇଁ ଉଦ୍ଦିଷ୍ଟ ବେଞ୍ଚର ମଝି ସିଟ୍‌ରେ ଛକି ଚିହ୍ନ ପଡ଼ିବ ଅର୍ଥାତ୍‌ ବେଞ୍ଚରେ ୨ଜଣରୁ ଅଧିକ ବସିବେ ନାହିଁ । ପରିଦର୍ଶକମାନେ ସାଙ୍ଗରେ ପିଇବା ପାଣି ଆଣିପାରିବେ । କିନ୍ତୁ କୌଣସି ଖାଦ୍ୟ ପଦାର୍ଥ ନଆଣିବାକୁ ପରାମର୍ଶ ଦିଆଯାଇଛି । କକ୍ଷ ଭିତରେ ଥିବା ପରିଦର୍ଶନ ସ୍ଥାନ ଭାବେ ଆକ୍ୱାରିୟମ, ଲାଇବ୍ରେରୀ, ଅନ୍ଧାରରେ ରହୁଥିବା ଜୀବଙ୍କ ଘର, ବାରଣ୍ଡା ଭିତରେ ଲୋକଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯିବ । ସର୍ବୋପରି ପ୍ରାଣୀ ଉଦ୍ୟାନ ପରିସରରେ ବଣଭୋଜି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ଗାଇଡ଼୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଏହି ଗାଇଡ଼ଲାଇନ୍‌ ରାଜ୍ୟରେ ଥିବା ସମସ୍ତ ହରିଣ ପାର୍କରେ ମଧ୍ୟ ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.