ଖାଇଗଲେ ପିଲାଙ୍କ ଡାଲି, ଚାଉଳ ଆଉ ପୋଷାକ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ
11/06/2020 at 6:05 PM

ଖଲ୍ଳିକୋଟ୧୧/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡଡୁମୁଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝଗଡ଼ାପଲ୍ଲୀ ଗ୍ରାମବାସୀମାନେ ପିଲାମାନଙ୍କ ଡ୍ରେସ,ଅଣ୍ଡା ,ଛତୁଆ ଓ ଚାଉଳ ବଣ୍ଟନ ଦୁର୍ନୀତି ନେଇ ଅଙ୍ଗନଓ୍ବାର୍ଡିକର୍ମୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଦିଗପହଣ୍ଡି ସିଡିପିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କିଛି ସୁଫଳ ହେଉନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏହି ଅଭିଯୋଗ କହିଥିଲେ।
ଶିଶୁମାନଙ୍କ ପାଇଁ ଆସିଥିବା ଚାଉଳ ଅନ୍ୟ ଜଣଙ୍କୁ ବିକ୍ରି କରିବା ସମୟରେ ଗ୍ରାମବାସୀ ଉକ୍ତ ଲୋକକୁ ଅଟକ ରଖି ଯାଞ୍ଚ କରିଥିଲେ। ଏହାର ଫୋଟ ସହ ସମସ୍ତ ପ୍ରମାଣ ପତ୍ର ଦିଗପହଣ୍ଡି ସିଡିପିଓଙ୍କୁ ଅବଗତ କରାଯାଇଥିଲେ ବି ଅଭିଯୋଗ ପତ୍ର ଗ୍ରହଣ କରିନଥିଲେ।
ଉକ୍ତ ଅଙ୍ଗନାଓ୍ବାର୍ଡି କର୍ମୀ ୧୫ ବର୍ଷ ହେଲା କାମ କରିଆସୁଥିଲେ ବି ସେଠାରେ ନରହି ବ୍ରହ୍ମପୁରରେ ରହୁଛନ୍ତି।ଯାହା ଦ୍ବାରା ଅଙ୍ଗନଓ୍ବାର୍ଡି କେନ୍ଦ୍ରକୁ ସପ୍ତାହେରେ ଥରେ କିମ୍ବା ଦୁଇ ଥର ଆସନ୍ତି। ଯାହାଫଳରେ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ହେବା ସହ ଦୁର୍ନୀତି ବଢ଼ି ଯାଇଛି। ତୁରନ୍ତ ଉକ୍ତ କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।