ବେଦୀରୁ ଉଠି ପ୍ରେମିକାକୁ ଦେଖା କରିବାକୁ ଚାଲିଗଲା ବର, କନିଆଁଙ୍କ ହାତ ଧରିଲେ ନିମନ୍ତ୍ରିତ ଅତିଥି

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬/୧: ବିବାହ ପାଇଁ ପ୍ରସ୍ତୁତି ସରିଥିଲା। ବର ଘର କନିଆଁ ପକ୍ଷ ସମସ୍ତେ ମଣ୍ଡପରେ । କିନ୍ତୁ ବରର ପତ୍ତା ମିଳିଲାନି। ବହୁ ଖୋଜାଖୋଜି ପରେ ଜଣାପଡ଼ିଲା ବର ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁରେ।

ବେଙ୍ଗାଲୁରୁ ମିରର ରିପୋର୍ଟ ଅନୁସାରେ ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ତାରିଖ ଓ ମଣ୍ଡବ ସମାନ ଥିଲା। ମଣ୍ଡପରେ ବାହା ଘର ପାଇଁ ସବୁ କିଛି ଆୟୋଜନ ସରିଥିଲା। ସବୁ କିଛି ଠିକ୍‌ ଚାଲିଥିଲା। କିନ୍ତୁ ହଠାତ ଜାଣିବାକୁ ମିଳିଲା ଯେ ନବୀନ କେଉଁଆଡ଼େ ପଳାଇଛନ୍ତି। ବାହା ଘର ରାତିରେ ହେବାକୁ ଥିବା ବେଳେ ନବୀନଙ୍କ ପତ୍ତା ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପରେ ନବୀନଙ୍କୁ ବହୁ ଖୋଜାଖୋଜି କରିବା ପରେ ସତ ଜଣାପଡ଼ିଥିଲା। ନବୀନଙ୍କ ବାହା ଘରରେ ଖୁସି ନଥିଲେ ତାଙ୍କ ପ୍ରେମିକା। ବିବାହ ମଣ୍ଡପକୁ ଆସି ହାତ କାଟିବା ସହ ବାହା ଘର ଭଣ୍ଡୁର କରିବାକୁ ନବୀନଙ୍କୁ ତାଙ୍କ ପ୍ରେମିକା ବାରମ୍ବାର ଧମକ ଦେଉଥିଲେ। ତେଣୁ ତାଙ୍କୁ ସାକ୍ଷାତ କରିବାକୁ ବିବାହ ଦିନ ନବୀନ ତୁମାକୁରୁ ଯାଇଥିଲେ।

ସେପେଟେ ନବୀନଙ୍କ ନିଖୋଜ ପରେ କନିଆଁ ସିନ୍ଧୁଙ୍କ ପରିବାର ଭାଙ୍ଗି ପଡ଼ିଥିଲେ। ସିନ୍ଧୁ ବି ଚିତ୍କାର କରି କାନ୍ଦୁଥାନ୍ତି। କାରଣ ବାହା ଘର ଅଟକିଯିବା ଭୟ ସମସ୍ତଙ୍କୁ ଥାଏ। ତେଣୁ ପରିବାର ତାଙ୍କ ପାଇଁ ଜଣେ ଭଲ ପାତ୍ର ସାଙ୍ଗେ ସାଙ୍ଗେ ଖୋଜିବାକୁ ସ୍ଥିର କଲେ। ବିବାହରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବର ଖୋଜା ବି ଚାଲିଲା। ଭିଡ଼ ଭିତରୁ ବସ୍‌ କଣ୍ଡକ୍ଟର ଚନ୍ଦ୍ରପାଙ୍କୁ ପରିବାର ଲୋକେ ଝିଅର ବର ଭାବେ ବାଛିଥିଲେ। କାଳ ବିଳମ୍ବ ନକରି ଉଭୟ ପରିବାର ସମାନ ସମୟ ଓ ସାମନ ମଣ୍ଡପରେ ସିନ୍ଧୁ ଓ ଚନ୍ଦ୍ରପାଙ୍କ ବିବାହ ସାରିଦେଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.