ଗୁଡ଼ିଆ ଗଣ ଦୁଷ୍କର୍ମ: ୫ ବର୍ଷର ନାବାଳିକାକୁ ଅକଥ୍ୟ ନିର୍ଯାତନା ଦେଇଥିବା ଦୁଇ ଦୋଷୀଙ୍କୁ ୨୦ ବର୍ଷ ଜେଲ୍ , ୧୧ ଲକ୍ଷ ଜରିମାନା

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦/୦୧- ସାତ ବର୍ଷ ପରେ ସଙ୍ଗୀନ ସଜ୍ଜା। ପୀଡିତା ଓ ତାଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୩ ରେ ଦିଲ୍ଲୀରେ ଘଟିଥିବା ଗୁଡିଆ ଗଣ ଦୁଷ୍କର୍ମ ମାମାଲାରେ  ଦିଲ୍ଲୀର ଏକ ଅଦାଲତ ଦୁଇ ଦୋଷୀଙ୍କୁ ସଜ୍ଜା ଶୁଣାଇଛନ୍ତି । ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ ଅତି ଅମାନୁଷିକ ନିର୍ଯାତନା ଦେଇଥିବା ଦୁଇ ଦୋଷୀ ମନୋଜ ଶାହ ଏବଂ ପ୍ରଦୀପକୁ  ଦିଲ୍ଲୀ ଅଦାଲତ ୨୦ ବର୍ଷ ଲେଖାଁଏ ଜେଲ୍‌ ଦଣ୍ଡ ସହ ୧୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 ୨୦୧୩ ମସିହା ଏପ୍ରିଲ ୧୫ ତାରିଖରେ ଦିଲ୍ଲୀର ଗାନ୍ଧି ନଗରରେ ଘଟିଥିଲା ଏହି ବର୍ବର ଘଟଣା । ୫ ବର୍ଷର ନାବାଳିକ ଗୁଡିଆ ଘର ଆଗରୁ ନିଖୋଜ ହୋଇଯାଇଥିଲା । ତେବେ ନିଖୋଜର ଦୁଇ ଦିନ ପରେ ଘର ପାଖରେ ହିଁ ଗୁଡିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତୁରନ୍ତ ଗୁଡିଆକୁ ଏମ୍ସରେ ଭର୍ତ୍ତି କରିଥିଲେ । ଗୁଡିଆଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ତାର ଶରୀରରୁ  ତେଲ ବୋତଲ ଓ ମହମ ବତୀ ବାହାର କରିଥିଲେ ଡାକ୍ତର ।

ଗୁଡିଆ ସହ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ମାନେ ତାକୁ ବଳ ପୂର୍ବକ ରଖି ଏପରି ଅମାନୁଷିକ ନିର୍ଯାତନା ଦେଇଥିଲେ । ଏହି ମାମଲାରେ ତଦନ୍ତକରି ପୋଲିସ ମନୋଜ ଏବଂ ପ୍ରଦୀପକୁ ଗିରଫ କରିଥିଲା । ଦୁଇ ଅଭିଯୁକ୍ତ ଗୁଡିଆକୁ ଅପହରଣ କରିନେଇ ବନ୍ଧକ ରଖି ଥିଲେ ଏବଂ ତା ସହ ବାରମ୍ବାର ଗଣ ଦୁଷ୍କର୍ମ କରିଥିଲେ। ଏହପରେ ସେତେବେଳେ ୫ ବର୍ଷର ହୋଇଥିବା ନାବାଳିକାକୁ ଅମାନୁଷିକ ନିର୍ଯାତନା ଦେଇଥିଲେ।

ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତ ମନୋଜ ଓ ପ୍ରଦୀପ ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ, ଦୁଷ୍କର୍ମ , ନିର୍ଯାତନା ଆଦି ଏକାଧିକ ଅଭିଯୋଗ ଦରଜ କରିଥିଲେ । କୋର୍ଟରେ ଏହି ମାମଲାରେ ୫୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।ଦିଲ୍ଲୀର କଡକଡଡୁମା କୋର୍ଟ ଗତ ୧୮ ତାରିଖ ଦିନ ଏହି ମାମଲାରେ ମନୋଜ ଓ ପ୍ରଦୀପକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଦଣ୍ଡାଦେଶ କୁ ସ୍ଥଗିତ ରଖିଥିଲେ । ଗୁରୁବାର ଏହି ଚର୍ଚ୍ଚିତ ମାମାଲାର ଦଣ୍ଡାଦେଶ ଆସିଛି ।ଘଟଣା ବେଳେ ପୀଡିତା ୫ ବର୍ଷର ହୋଇଥିବା ବେଳେ ଏବେ ତାଙ୍କୁ ୧୨ ବର୍ଷ ।ସେ ଭୋଗିଥିବା ଅକଥ୍ୟ ଯନ୍ତ୍ରଣା ଲାଗି କ୍ଷତିପୂରଣ ବାବଦକୁ ଦୁଇ ଦୋଷୀଙ୍କ ଠାରୁ ଜରିମାନା ବାବଦ ଆଦାୟ ୧୧ ଲକ୍ଷ ଟଙ୍କା ତାଙ୍କୁ (ପୀଡିତାଙ୍କୁ) ଦିଆଯିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.