ଯୁବତୀଙ୍କୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ହତ୍ୟା ଉଦ୍ୟମ କଲା ସିକ୍ୟୁରିଟି ଗାର୍ଡ଼ : ଗିରଫ

Published By : Prameya-News7 Bureau | November 06, 2019 IST

ରାଞ୍ଚି ୬/୧୧: ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ ଅଫ ମାଇନିଙ୍ଗ ଆଣ୍ଡ ଫୁଏଲ ରିସର୍ଚ୍ଚ ସେଣ୍ଟର ଧନବାଦର ଡିଗବାଡିହରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଛାତ୍ରୀଙ୍କ ସହ ଗତ ସୋମବାର ରାତି ପାଖାପାଖି ୧୨ଟାବେଳେ ଦୁଷ୍କର୍ମ ଉଦ୍ୟମ କରାଯାଇଛି। କିନ୍ତୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଅଭିଯୁକ୍ତ ଯୁବତୀଙ୍କୁ ତକିଆରେ ମୁହଁ ଦବାଇ ମାରିବାର ଉଦ୍ୟମ କରିଥିଲା। କିନ୍ତୁ ଯୁବତୀ ସାହସିକତାର ପରିଚୟ ଦେଇ ଅଭିଯୁକ୍ତ କବଳରୁ ନିଜକୁ ରକ୍ଷା କରିବାରେ ସଫଳ ହୋଇପାରିଥିଲେ।

ଛାତ୍ରୀ ଶୋଇଥିବାବେଳେ କ୍ବାର୍ଟରରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ଅଭିଯୁକ୍ତ ହେଉଛି ଜଣେ ଘରୋଇ ଏଜେନ୍ସିର ଗାର୍ଡ଼ ଯାହାକୁ ଛାତ୍ରୀଙ୍କ କ୍ବାର୍ଟରର ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା। ଅଭିଯୁକ୍ତ ଗାର୍ଡ଼ର ନାଁ କିଣ୍ଡୋ। ପୀଡ଼ିତା ଗାର୍ଡ଼କୁ ଚିହ୍ନିବା ପରେ ଜୋରାପୋଖର ଥାନା ପୋଲିସ୍ ଅଭିଯୁକ୍ତକୁ ହେପାଜତକୁ ନେଇଛି।

ପୀଡ଼ିତା ଯୁବତୀ ଏଠାରେ ୨ବର୍ଷ ହେବ ଥିଲେ। ଏହା ବ୍ୟତୀତ ସିମ୍ଫର କ୍ବାର୍ଟରରେ ପାଖାପାଖି ୧୩ଜଣ ଯୁବତୀ ରହିଥାଆନ୍ତି। ଏହି କ୍ବାର୍ଟରରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ। ସହଯୋଗୀଙ୍କ ସହ ଘଟିଥିବା ଘଟଣା ଏବଂ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ ଅନ୍ୟ ମହିଳା କର୍ମୀମାନେ ମଧ୍ୟ ଭୟଭୀତ ଅବସ୍ଥା​‌ରେ ଅଛନ୍ତି।

ସୂଚନାଯୋଗ୍ୟ, ହଠାତ୍ ଗତ ସୋମବାର ରାତିରେ ପାଖାପାଖି ୧୨:୩୦ରେ ଜଣେ ଯୁବତୀ ଜୋରରେ ଚିତ୍କାର କରିବାର ଶବ୍ଦ ଶୁଭିଥିଲା। ଏହା ଶୁଣି ପାଖରେ ଥିବା ଅନ୍ୟ ଯୁବତୀମାନେ ବାହାରକୁ ଆସିଥିଲେ। ତାଙ୍କୁ ଦେଖି ପୀଡ଼ିତା ଛାତ୍ରୀ କାନ୍ଦିବାକୁ ଲାଗିଥିଲେ। ତାଙ୍କ ପୋଷାକ ଅସ୍ତ- ବ୍ୟସ୍ତ ହୋଇଥିଲା। ଅନ୍ୟ ଯୁବତୀମାନେ ତାଙ୍କ ଶରୀରକୁ ଶାଲରେ ଘୋଡ଼ାଇ ଦେଇଥିଲେ। ତାଙ୍କୁ ଘଟଣା ବିଷୟରେ ପଚରାଯିବାରୁ ତାଙ୍କ କାନ୍ଦଣା ବନ୍ଦ ହେଉନଥିଲା। ଏହା ପରେ ତାଙ୍କ ରୁମମେଟମାନେ ତାଙ୍କୁ ରୁମକୁ ନେଇ ଯାଇଥିଲେ। ପାଖାପାଖି ୨ଘଣ୍ଟା ପରେ ସେ ଘଟଣା ସମ୍ପର୍କରେ ସୂଚନା ଦେବାର ପରିସ୍ଥିତିକୁ ଆସିଥିଲେ।

ସେ କହିଥିଲେ ଯେ ​‌ସେ ଖଟରେ ଶୋଇବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ନିଦ ହେଉନଥିଲା। ଏହି ସମୟରେ ରୁମର ଛିଟକିଣା ଖୋଲି ଗାର୍ଡ଼ କିଣ୍ଡୋ ରୁମ ଭିତରକୁ ପ୍ରବେଶ କରିଥିଲା ଏବଂ ଦୁଷ୍କର୍ମ କରିବା ଉଦ୍ୟମରେ ଶରୀରର ଆଭ୍ୟନ୍ତରୀଣ ଭାଗକୁ ଛୁଇଁଥିଲା। ସେ ତା’ର ବିରୋଧ କରିଥିଲେ। ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଗାର୍ଡ଼ ତକିଆରେ ଯୁବତୀଙ୍କ ମୁହଁ ଦବାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଫଳରେ ଯେପରି ତା’ର ପରିଚୟ ଜଣାପଡ଼ିବ ନାହିଁ। କିନ୍ତୁ ଯୁବତୀ ଜଣକ ତାଙ୍କ ସବୁ ଶକ୍ତି ଲଗାଇ ଗାର୍ଡ଼କୁ ଜୋରରେ ଧକ୍କା ଦେଇଥିଲେ ଏବଂ ରୁମରୁ ବାହାରି ନିଜକୁ ରକ୍ଷା କରିଥିଲେ।

ସୂଚନା ମିଳିବା ପରେ ସବୁ ଗାର୍ଡ଼ଙ୍କୁ ପ୍ୟାରେଡ କରାଯାଇଥିଲା। ପ୍ୟାରେଡ କରିବା ସମୟରେ ଜଣେ ଗାର୍ଡ଼ଙ୍କୁ ଦେଖିବାକୁ ମିଳିନଥିଲା। ଅଭିଯୁକ୍ତ ଗାର୍ଡ଼ ମଦ ପିଇ କ୍ୟାମ୍ପସର ଏକ ସ୍ଥାନରେ ଶୋଇଥିଲା। ତାକୁ ପ୍ୟାରେଡକୁ ଅଣାଯିବା ପରେ ପୀଡ଼ିତା ତାକୁ ଚିହ୍ନଟ କରିଥିଲେ। ଏହା ପରେ ପୋଲିସ୍ ତାକୁ ହେପାଜତକୁ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.