କୋଭିଡ-୧୯ ସାମଗ୍ରୀ ଆମଦାନୀ ଉପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଛାଡ ହଲା IGST: ଜିଏସଟି ପରିଷଦ

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮।୫: କୋଭିଡ ଦ୍ୱିତୀୟ ଲହର ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଏସଟି ପରିଷଦ କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆମଦାନୀ ଉପରେ ଏହି ଶୁଳ୍କ ରିହାତି ମିଳିବ ବୋଲି ସୀତାରମଣ ଶୁକ୍ରବାର କହିଛନ୍ତି। ଏଥିରେ ବ୍ଲାକ ଫଙ୍ଗସ ଚିକିତ୍ସା ଲାଗି ଆମଦାନୀ ହେଉଥିବା ଔଷଧ ଓ ଉପକରଣକୁ ମଧ୍ୟ ଆଇଜିଏସଟି ଶୁଳ୍କରୁ ବାଦ ଦିଆଯାଇଛି।

ସାରା ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ତେବେ ମେ ମାସ ସରିବା ବେଳକୁ ଦୈନିକ ସଂକ୍ରମଣ ହାର ଯଦିଓ ହ୍ରାସ ହୋଇଛି ତେବେ ହସ୍ପିଟାଲରେ ଆକ୍ଟିଭ କେସ୍‌ ସଂଖ୍ୟା ଏବେବି ବଢି ରହିଛି। ଚିକିତ୍ସାରେ ଅନେକ ସାମଗ୍ରୀ ଆମଦାନୀ କରିବାକୁ ପଡୁଥିବାରୁ ଏହା ବେଳକୁ ବେଳ ବ୍ୟୟ ବହୁଳ ହେବାରେ ଲାଗିଛି। ଏଥିରେ ବଦାନ୍ୟ ସଂସ୍ଥାମାନେ ସହଯୋଗର ହାତ ବଢାଉଥିଲେ ମଧ୍ୟ ଜିଏସଟି ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏଣୁ ଏଥିରେ ରିହାତି ଦେବା ଲାଗି ବିଭିନ୍ନ ରାଜ୍ୟ ସରକାର ବିଭିନ୍ନ ସମୟରେ ଦାବି କରୁଛନ୍ତି।

ଏଥିରେ ଶୁକ୍ରବାର ଅନୁଷ୍ଠିତ ୪୩ତମ ଜିଏସଟି ପରିଷଦ ବୈଠକରେ କୋଭିଡ ଚିକିତ୍ସା ସମ୍ପର୍କିତ ଯନ୍ତ୍ରପାତି ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ବେଳେ ଏ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଣୁ କୋଭିଡ ଚିକିତ୍ସା ସମ୍ପର୍କିତ ଆନୁଷଙ୍ଗିକ ଔଷଧ ଓ ସାମଗ୍ରୀ ଆମଦାନୀ ଉପରେ ଏପର୍ଯ୍ୟନ୍ତ ଧାର୍ଯ୍ୟ ହେଉଥିବା ସାମଗ୍ରୀ ଓ ସେବା କର ଛାଡ ଲାଗି ନିଷ୍ପତ୍ତି  ହୋଇଛି। ତେବେ ଏହି ସୁବିଧା କେବଳ ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏହା ଛଡା ବୈଠକରେ ଅନ୍ୟ ନିଷ୍ପତ୍ତି ମଧ୍ୟ ହୋଇଛି। ତେବେ କଣ ସବୁ ନିଷ୍ପତ୍ତି ହୋଇଛି ଆସନ୍ତୁ ଜାଣିବା।

ବୈଠକରେ କୋଭିଡଜ ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ନୂଆ ସାମଗ୍ରୀ ଉପରେ ପରବର୍ତ୍ତି ହ୍ରାସ ଲାଗି ଜିଓଏମ ଗଠନ ଲାଗି ନିଷ୍ପତ୍ତି ହୋଇଛି । ଜିଓଏମ ମାମଲାରେ ଜୁନ ୮ ସୁଦ୍ଧା ରିପୋର୍ଟ ଦେବେ। ସେହିପରି କ୍ଷୁଦ୍ର କରଦାତାଙ୍କ ଲାଗି ଜିଏସଟି ଖୁବ୍ ଶୀଘ୍ର ଲେଟ ଫି ହ୍ରାସ ଲାଗି କ୍ଷମା ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଛଡା କ୍ଷୁଦ୍ର କରଦାତାଙ୍କ ରିଟର୍ଣ୍ଣ ଫର୍ମକୁ ଅଧିକ ଯୁକ୍ତିସଙ୍ଗତ କରିବାକୁ ଆଲୋଚନା ହୋଇଛି। ଏଥିଲାଗି ସିଜିଏସଟି ନିୟମରେ ଶଂସୋଧନ ଲାଗି ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.