ଜିଏସଟି କାଉନସିଲ୍ ବୈଠକ: ଜିଏସଟି ଟିଟର୍ଣ୍ଣ ଭରିନଥିବା ଲୋକଙ୍କୁ ମିଳିଲା ବଡ ଆଶ୍ଵସ୍ତି
12/06/2020 at 4:29 PM

ନୂଆଦିଲ୍ଲୀ ୧୨।୦୬: କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ପୂର୍ବ ପର୍ଯ୍ୟନ୍ତ ବସ୍ତୁ ଓ ସେବା କର(ଜିଏସଟି) ରିଟର୍ଣ୍ଣ ଫାଇଲ୍ କରିନଥିବା ଲୋକଙ୍କୁ ମିଳିଛି ବଡ ଆଶ୍ଵସ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨୦୧୭ ଜୁଲାଇରୁ ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ଅବଧିରେ ଯେଉଁମାନେ ଜିଏସଟି ଟିଟର୍ଣ୍ଣ ଫାଇଲ୍ କରି ନାହାନ୍ତି ସେମାନଙ୍କ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ। ଏବେ ସେମାନେ ଟିକସ୍ ପୈଠ କଲେ ସେମାନଙ୍କୁ କୌଣସି ଫାଇନ୍ ଲାଗିବ ନାହିଁ।
ଟିକସ ଦେଉଥିବା ଲୋକଙ୍କୁ ଦେବାକୁ ପଡିବ ଲେଟ୍ ଫି
ଅନ୍ୟପଟେ ଏହି ଅବଧରେ ଯେଉଁମାନେ ଟିକସ୍ ପୈଠ କରି ନାହାନ୍ତି, ସେମାନଙ୍କୁ ୫୦୦ ଟଙ୍କାର ଲେଟ୍ ଫି ଦେବାକୁ ପଡିବ। ଅନ୍ୟପଟେ ୨୦୧୭ ଜୁଲାଇରୁ ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ଅବଧିରେ ଦିଆଯାଇନଥିବା ଜିଏସଟି ରିଟର୍ଣ୍ଣ ଫାଇଲ୍ ଏବେ ୨୦୨୦ ସେପ୍ଟେମ୍ଵର ୧ ମଧ୍ୟରେ ପୈଠ କରି ପାରିବେ।
୧୮ ପ୍ରତିଶତରୁ ହେଲା ୯ ପ୍ରତିଶତ ସୁଧ
ବାର୍ଷିକ ୫ କୋଟିରୁ କମ୍ ଆୟ କରୁଥିବା ଛୋଟ କରଦାତା ଯେଉଁମାନେ ୨୦୨୦ ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲର ଜିଏସଟି ଟିଟର୍ଣ୍ଣ ଜୁଲାଇ ୬ ପର୍ଯ୍ୟନ୍ତ ଭରିବେ ନାହିଁ, ସେମାନଙ୍କୁ ବାର୍ଷିକ ୯ ପ୍ରତିଶତ ସୁଧ ହାର ସହିତ ସେପ୍ଟେମ୍ଵର ସୁଦ୍ଧା ରିଟର୍ଣ୍ଣ ଭରିବାକୁ ରିଆତି ଦିଆଯିବ। ଏହା ପୂର୍ବରୁ ବକେୟା ଟିଟର୍ଣ୍ଣ ଫାଇଲ୍ ଉପରେ ବାର୍ଷିକ ସୁଧ ହାର ୧୮ ପ୍ରତିଶତ ଥିଲା, ଯାହାକୁ ଏବେ ହ୍ରାସ କରାଯାଇ ୯ ପ୍ରତିଶତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜି ଜିଏସଟି କାଉନସିଲ୍ ପରିଷଦର ୪୦ତମ ବୈଠକ ଥିଲା। ବୈଠକରେ ସବୁ ରାଜ୍ୟର ଅର୍ଥ ମନ୍ତ୍ରୀ ସାମିଲ ଥିଲେ। ନିର୍ମଳା ସୀତାରମଣଙ୍କ ବ୍ୟତୀତ ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ।