ଜିଏସଟି ଉପରେ କରୋନା ମାଡ : ଦ୍ରବ୍ୟ ଓ ସେବା କର ସଂଗ୍ରହ ୨.୩୫ ଲକ୍ଷ କୋଟି ଚଙ୍କା କମିଛି, ରାଜ୍ୟଙ୍କ ପାଇଁ ଦୁଇଟି ବିକଳ୍ପ, ବାଛିବାକୁ ୭ ଦିନ ସମୟ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮:  ବସ୍ତୁ ଏବଂ ସେବା କର ବା ଜିଏସଟି ପରିଷଦର ୪୧ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅଧ୍ୟକ୍ଷତା କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ଜିଏସଟି କ୍ଷତିପୂରଣ ଉପରେ ଆଲୋଚନା କରିଥିଲେ । ୫ ଘଣ୍ଟା ଧରି ତାଲିଥିବା ଏହି ବୈଠକରେ ରାଜ୍ୟମାନଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି ।

ଏହି ଦୁଇ ବିକଳ୍ପ ହେଲା କେନ୍ଦ୍ର ନିଜେ ଉଦ୍ଧାର ନେଇ ରାଜ୍ୟକୁ କ୍ଷତିପୂରଣ ଦେଉ କିମ୍ବା ଆରବିଆଇଠାରୁ ଉଦ୍ଧାର ନିଆଯାଉ । ରାଜ୍ୟମାନେ ୭ ଦିନ ମଧ୍ୟରେ ନିଜର ନିଷ୍ପତ୍ତି କହିବେ । ଅର୍ଥାତ ୭ ଦିନ ପରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ଏହି ଦୁଇ ବିକଳ୍ପ କେବଳ ଚଳିତ ବର୍ଷ ପାଇଁ ଅଟେ । ଏହାପରେ ୨୦୨୧ ଏପ୍ରିଲରେ ପୁଣି ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବ । ଏହା ଉପରେ ସମୀକ୍ଷା କରାଯିବ । କରୋନା ସଙ୍କଟ ପାଇଁ ଚଳିତ ଆର୍ଥିକ ବର୍ଷରେ ଜିଏସଟି ଆଦାୟରେ ୨.୩୫ ଲକ୍ଷ କୋଟି କ୍ଷତି ହେବ ବୋଲି ଆଶଙ୍କା କରିଛନ୍ତି ଅର୍ଥ ସଚିବ ।

ରାଜ୍ୟମାନଙ୍କୁ ମେ,ଜୁନ, ଜୁଲାଇ ଓ ଅଗଷ୍ଟର କ୍ଷତିପୂରଣ ମିଳିନାହିଁ । କାରଣ ସରକାରଙ୍କ ପାଖରେ ରାଜ୍ୟକୁ କ୍ଷତିପୂରଣ ଦେବାକୁ ଅର୍ଥ ନାହିଁ । ବୈଠକ ପରେ ଅର୍ଥ ସଚିବ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ପାଇଁ ୧.୬୫ ଲକ୍ଷ କୋଟି ଜାରି କରିଛନ୍ତି । ଏଥିରେ ମାର୍ଚ୍ଚ ପାଇଁ ୧୩,୮୦୬ କୋଟି ସାମିଲ ଅଛି ।

ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଚକିଆ ବାହାନ ବାବଦରେ କିଛି କହିନାହାଁନ୍ତି । ପୂର୍ବରୁ ସେ ଦୁଇ ଚକିଆ ବାହାନ ଉପରେ ଜିଏସଟି ହ୍ରାସ ନେଇ ସଙ୍କେତ ଦେଇଥିଲେ । ଗତ ବର୍ଷ ଦେଶରେ ସବୁଠାରୁ ଅଧିକ ଦୁଇ ଚକିଆ ଯାନ ତିଆରି କରୁଥିବା ହିରୋ ମୋଟରକପ୍ ସରକାରଙ୍କୁ ଜିଏସଟି ହ୍ରାସ ପାଇଁ ଅନୁରୋଧ କରିଥିଲା । ଏବେ ଦୁଇ ଚକିଆ ଯାନ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.