ପୁରୀ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟଣା, ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 31, 2019 IST

ପୁରୀ ୩୧|୩ : ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ଅଶୋକ ପ୍ରଧାନକୁ ଗିରଫ କରିଛି ପୁରୀ ଜିଆର୍‌ପି ଓ ଆର୍‌ପିଏଫ୍‌ । ଅଶୋକର ଘର ଖଜୁରିଆ ବ୍ରହ୍ମଗିରିରେ ବୋଲି ଜଣାପଡିଛି । ସେ ଗଞ୍ଜେଇ ଖାଇ ସାରିବା ପରେ ଗାମୁଛାରେ ନିଆଁ ଲଗାଇ ସିଟ୍ ଉପରେ ରଖିଥିବାରୁ ନିଆଁ ଲାଗିଯାଇଥିଲା ।

ଗତ ୨୨ ତାରିଖରେ ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟି ୩ଟି ବଗି ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ପୁରୀ ଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରେ ସଫେଇ କାର୍ଯ୍ୟ ପାଇଁ ଛିଡ଼ା ହୋଇଥିବାବେଳେ ହାଟିଆ ତପସ୍ବିନୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ୩ଟି ବଗି ଜଳିଯାଇଥିଲା । ଟ୍ରେନ୍‌ର ୪ ନମ୍ବର କୋଚ୍‌ରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ୩ ଓ ୫ ନମ୍ବର ସ୍ଲିପର କୋଚକୁ ବ୍ୟାପି ଯାଇଥିଲା । ଖବର ପାଇ ପ୍ରଥମେ ପୁରୀର ୩ଟି ଓ ପରେ ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲରୁ ଏପରି ମୋଟ୍‌ ୮ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏସ-୩, ଏସ-୪, ଏସ-୫ ବଗି ସଂପୂର୍ଣ୍ଣ ପୋଡିଯାଇଥିଲା । ଏଥିରେ ଥିବା ସମସ୍ତ ଜିନିଷ ବି ଭସ୍ମୀଭୂତ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.