କଟକ ବଡ ମେଡିକାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ, ଆନ୍ଦୋଳନ ପାଇଁ ଓଏମଏର ଚେତାବନୀ

Published By : Prameya-News7 Bureau | July 07, 2019 IST

କଟକ ୭|୭:  କଟକ ବଡମେଡିକାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ। ଦିନକୁ ଦିନ ବେଡ୍ ସଂଖ୍ୟା ବଢିଚାଲୁଥିବା ବେଳେ ଏମାନଙ୍କ ସଂଖ୍ୟା କମି ଚାଲିଛି। ସେପଟେ ସରକାର ନୂଆ ନିଯୁକ୍ତିର ନାଁ ଧରୁନାହାନ୍ତି। ଯାହା ଫଳରେ ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ତୁରନ୍ତ ଏହି ବର୍ଗର କର୍ମଚାରୀ ନିଯୁକ୍ତ କରାନଗଲେ କାମ ବନ୍ଦ କରାଯିବ ବୋଲି ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଧମକ ଦିଆଯାଇଛି। ହସ୍ପିଟାଲ କତ୍ତୃପକ୍ଷଙ୍କୁ ଏନେଇ ସଂଘ ୧୫ ଦିନର ଅଲଟିମେଟମ ଦେଇଛି ।

କଟକ ବଡମେଡିକାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାଁନ୍ତି। ଗତ ତିନିବର୍ଷ ହେଲା ଏହି ପଦବୀ ପୂରଣ କରାଯାଉନାହିଁ । ମେଡିକାଲରେ ବେଡ୍ ସଂଖ୍ୟା ୧୨ ଶହ ଥିବା ବେଳେ ୧୨୭୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ । ଏବେ ବେଡ ସଂଖ୍ୟା ୩୨ଶହକୁ ଟପିଲାଣି। କିନ୍ତୁ ଗ୍ରୁପ୍-ଡି ଆଟେଣ୍ଡାଣ୍ଟ ଓ ସୁଇପରଙ୍କ ସଂଖ୍ୟା ହେଉଛି ମାତ୍ର ୪୫୦। ତିନିବର୍ଷ ତଳେ ଏହି ବର୍ଗର ୧୮୧ଜଣ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଏଯାଏଁ ସେମାନଙ୍କୁ ନୁତନ ନିଯୁକ୍ତି ଦିଆଯାଇ ନାହିଁ। ୨୯୪ଟି ନୂତନ ପଦବୀ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତ୍ତି ନେଇଥିଲା । ମାତ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତେଣୁ ଏହି ସମସ୍ୟାକୁ ନେଇ ଓଡିଶା ମେଡିକାଲ କର୍ମଚାରୀ ସଂଘ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛି । ୧୫ ଦିନ ମଧ୍ୟରେ ଏହିସବୁ ପଦବୀ ପୁରଣ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।

ମେଡିକାଲ ଅଧିକ୍ଷକ ମଧ୍ୟ ଏନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି। ନୂତନ ନିଯୁକ୍ତି ପାଇଁ ସେ ବ୍ୟକ୍ତିଗତ ଭାବରେ ଚେଷ୍ଟା କରୁଥିବା କହିଛନ୍ତି। ୨୯୪ ଜଣ ଗ୍ରୁପ୍-ଡି କର୍ମଚାରୀ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରୀୟା ଶେଷ ହୋଇଥିବା ସେ କହିଛନ୍ତି। ତେବେ ମେଡିକାଲ କର୍ମଚାରୀ ସଂଘର ଚେତାବନୀ ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ କହିଛନ୍ତି।

ପୋଷ୍ଟମୋର୍ଟମ ପିଛା ଡାକ୍ତରମାନଙ୍କୁ ୫୦୦ ଟଙ୍କା ଭତ୍ତା ଦିଆଯାଉଛି। କିନ୍ତୁ ପ୍ରକୃତ ପୋଷ୍ଟମୋର୍ଟମ ଚତୁର୍ଥ ଶ୍ରେଣୀ କର୍ମଚାରୀ କରୁଥିବା ବେଳେ ଏମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଭତ୍ତା ଦେବାପାଇଁ ନିୟମ କରାଯାଇଥିଲା। ମାତ୍ର ତାହା ଏଯାଏଁ କାର୍ଯ୍ୟକାରୀ କରାଯାଇ ନାହିଁ। ତେଣୁ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ମଧ୍ୟ ଓଡିଶା ମେଡିକାଲ କର୍ମଚାରୀ ସଂଘ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.