ଠିକାଦାର କ୍ୟାମ୍ପ୍‌ରୁ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ, ଉଭୟ ଗୋଷ୍ଠୀର ୩ ଗୁରୁତର

Published By : Prameya-News7 Bureau | July 05, 2021 IST

ଢେଙ୍କାନାଳ ୫।୭: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ନିକଟରେ ଏକ ଠିକାଦାରୀ କ୍ୟାମ୍ପ୍ ରେ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ ଘଟିଛି । ଫଳରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୫୩ର ଢେଙ୍କାନାଳ ଜିଲ୍ଲା ଭୁବନ ଅନନ୍ତପୁର ଛକଠାରୁ ନୀଳକଣ୍ଠପୁର ଗ୍ରାମ ସ୍ଥିତ ବାଜିରାଉତ ସେତୁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲିଛି । ପୂର୍ତ୍ତ ବିଭାଗ ରାସ୍ତାଟି ଅନନ୍ତପୁର ଛକଠାରୁ ଭାୟା ବାଲିବୋ, ମହୁଲପାଳ, ମୃଦଙ୍ଗା ଏବଂ ନୀଳକଣ୍ଠପୁର ଗ୍ରାମକୁ ସଂଯୋଗ କରୁଛି । ଏହି କାର୍ଯ୍ୟକୁ ଆରକେ ଆସୋସିଏଟେଡ଼ ନାମକ ଏକ ଠିକା ସଂସ୍ଥା କରୁଛି ।   ବର୍ତ୍ତମାନ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ମୃଦଙ୍ଗା ପଞ୍ଚାୟତରେ ଚାଲୁଥିବା ବେଳେ ଠିକାସଂସ୍ଥାର କ୍ୟାମ୍ପଟି ଗ୍ରାମ ନିକଟରେ ରହିଛି ।

ତେବେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଏହି ସଂସ୍ଥାର ଠିକା କ୍ୟାମ୍ପରେ ରହୁଥିବା କର୍ମଚାରୀମାନଙ୍କୁ  ଚାନ୍ଦା ମାଗିବା ସହିତ ଗାଳିଗୁଲଜ କରିଆସୁଛନ୍ତି । ଏପରିକି ଚାରି ପାଞ୍ଚ ଜଣ ଯୁବକ ରାସ୍ତା କାର୍ଯ୍ୟ ତଦାରଖ କରୁଥିବା ଇଞ୍ଜିନିୟର, ସୁପରଭାଇଜରଙ୍କୁ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେବାରୁ ଏହି ଯୁବକମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।  ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଠିକାସଂସ୍ଥାର ଦୁଇ ଜଣ ଓ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଉଭୟ ଠିକାସଂସ୍ଥା  ଓ ଆକ୍ରମଣକାରୀଙ୍କ ପକ୍ଷରୁ ଭୁବନ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଭୁବନ  ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.