ଏକ ମାତ୍ର ଜୀବିତ ଗ୍ରୁପ କ୍ୟାପଟେନ୍ ବରୁଣଙ୍କ ଉନ୍ନତ ଚିକିତ୍ସା ପାଇଁ ପଠାଗଲା ବେଙ୍ଗାଲୁରୁ, ହୋଇ ସାରିଲାଣି ୩ ଅପରେସନ

Published By : Prameya-News7 Bureau | December 09, 2021 IST

ବେଙ୍ଗାଲୁରୁ ୦୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ବ୍ୟକ୍ତି ହେଉଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ। ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଗୁରୁବାର ଓ୍ଵେଲିଂଟନରୁ ସୁଲୁର ଦେଇ ବେଙ୍ଗାଲୁରୁ ଅଣାଯାଉଛି। ଦୁର୍ଘଟଣାରୁ ଗୁରୁତର ଭାବେ ଉଦ୍ଧାର ଗ୍ରୁପ କ୍ୟାପଟେନଙ୍କୁ ବୁଧବାର ଓ୍ଵେଲିଂଟନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂତ୍ର ଅନୁଯାୟୀ, ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ  ସୁଦ୍ଧା ଗମ୍ଭୀର ରହିଛି। ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ଅଣାଯାଉଛି। ଏ ପର୍ଯ୍ୟନ୍ତ ବରୁଣ ସିଂହଙ୍କ ତିନି ଥର ଅପରେସନ କରାଗଲାଣି। ବୁଧବାର ରୁଷ ନିର୍ମିତ ହେଲିକପ୍ଟର ଏମଆଇ-୧୭ଭି୫ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରତିରକ୍ଷା ପ୍ରମୁଖ ଅଧ୍ୟକ୍ଷ ବା ସିଡିଏସ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ସଶସ୍ତ୍ର ବଳର ୧୧ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଏହି ହେଲିକପ୍ଟରରେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ସିଡିଏସ ରାଓ୍ଵତଙ୍କ ଓ୍ଵେଲିଂଟନରେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ କଲେଜ୍‌କୁ ଯାତ୍ରା ପାଇଁ ଯୋଗାଯୋଗ ଅଧିକାରୀ ଭାବେ ନିୟୋଜିତ ଥିଲେ। ସେ ସଂପ୍ରତି ଏହି ପ୍ରତିଷ୍ଠିତ  କଲେଜରେ ଇନଷ୍ଟ୍ରକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ଭୋପାଳ ନିବାସୀ ବରୁଣଙ୍କ ପିତା କର୍ଣ୍ଣେଲ ଅବସରପ୍ରାପ୍ତ କେପି ସିଂହ ଫୋନରେ କହିଛନ୍ତି, ବରୁଣଙ୍କ  ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଉଛି। ପୁଅର ଅବସ୍ଥା ଏବେ ସ୍ଥିର ରହିଛି। ଏହି ବିଷୟରେ ଏବେ ଅଧିକ କିଛି କୁହାଯାଇ ପାରିବ ନାହିଁ। ଘଟଣା ପୂର୍ବରୁ ସୁଲୁର ଏୟାରବେସ୍‌ରେ ଜେନେରାଲ ରାଓ୍ଵତଙ୍କୁ ବରୁଣ ସିଂହ ପାଛୋଟି ନେଇଥିଲେ। ସେଠାରୁ ହେଲିକପ୍ଟର ଯୋଗେ ଓ୍ଵେଲିଂଟନ ଅଭିମୁଖେ ଯାଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.