ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍: ଘରେ ରହି କାମ କରିବେ ଗ୍ରୁପ୍ ସି-ଡି କର୍ମଚାରୀ, ଭୋଜି ମହୋତ୍ସବରେ ଯୋଗଦେଲେ ବିନା ଦରମାରେ ଛୁଟି
19/03/2020 at 7:19 PM

ଭୁବନେଶ୍ୱର, ୧୯|୦୩: କରୋନା ଆତଙ୍କ ଥମିବାର ନାଁ ନେଉନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଏଥିରେ ଲୋକସେବା ଭବନ ଓ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କୁ ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୧ ଯାଏଁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।

କର୍ମଚାରୀମାନେ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନ, ବିବାହ, ଭୋଜି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କୁହାଯାଇଛି। ଏହାର ଖିଲାପ କଲେ ସେମାନଙ୍କୁ ଏହି ସମୟ ସୀମାରେ ବିନା ଦରମାରେ ଛୁଟି ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି।
କେତେଜଣ କର୍ମଚାରୀ ଅଫିସକୁ ଆସିବେ ତାହା ନିର୍ଦ୍ଧାରଣ କରିବା ପାଇଁ ଏସପି, ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଅଫିସରେ କାର୍ଯ୍ୟ କରିବାବେଳେ ସାନିଟାଇଜର, ସାବୁନ ଆଦି ଯୋଗାଇ ଦିଆଯିବ। ସଫେଇ କର୍ମଚାରୀଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯାଇଛି।

ସେହିପରି ବେସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ଅନୁମତି ଦେବାକୁ କୁହାଯାଇଛି।