ନିଆରା ବାହାଘର: ସାଇକେଲରେ ବରଯାତ୍ରୀ ଧରି ବାହାରିଲେ ବର, ପରିବେଶ ସୁରକ୍ଷା ନେଇ ସମାଜକୁ ଦେଲେ ବାର୍ତ୍ତା

Published By : Prameya-News7 Bureau | April 25, 2021 IST

ପ୍ରତାପଗଡ଼ ୨୫/୦୪ : କରୋନାର ଦ୍ୱିତୀୟ ଲହର ଗାଁଠୁ ସହର ଯାଏଁ ହାହାକାର ଖେଳିଛି। ବିଭିନ୍ନ ସହରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଲଗାତାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ଇତିମଧ୍ୟରେ ଉତ୍ତର ପ୍ରଦେଶ ପ୍ରତାପଗଡ଼ର ଏକ ବାହାଘରକୁ ନେଇ ଖୁବ ଚର୍ଚ୍ଚା ହେଉଛି। ବରଯାତ୍ରୀ ସମେତ ନିଜେ ବର ମଧ୍ୟ ସାଇକେଲରେ ବାହାହେବା ପାଇଁ କନ୍ୟା ଘରକୁ ଯାଇଥିଲେ। ଯୁବକ କହିଛନ୍ତି କରୋନା କାଳରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ସେଥିପାଇଁ ସେ ସାଇକେଲର ବରଯାତ୍ରୀ ଯାଇ ବାହାହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ବି ବଞ୍ଚିଯିବ ଏବଂ ସମାଜ ପ୍ରତି ପରିବେଶ ସୁରକ୍ଷା ନେଇ ଏକ ବଡ ସନ୍ଦେଶ ହେବ।

ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ଏହି ବରଯାତ୍ରୀକୁ ସମସ୍ତେ ପ୍ରଶଂସା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବୋଝି ଗାଁର ବିନୟ ପ୍ରଜାପତିଙ୍କ ବାହାଘର ରାଜାଗଡ଼ ବେନି ପ୍ରସାଦଙ୍କ ଝିଅ ସହ ହେବାରଥିଲା। ବରଯାତ୍ରୀ ପାଇଁ ବର ପକ୍ଷରୁ କୌଣସି ଗାଡି ବା ବିଶେଷ ସାଜସଜ୍ଜା ଆୟୋଜନ ହୋଇନଥିଲା। ବର ବିନୟ ପ୍ରଜାପତି ସନ୍ଧ୍ୟା ୪ଟା ରେ ସାଇକେଲରେ ବରଯାତ୍ରୀ ହୋଇ ବାହାରିଲେ। ବିନୟଙ୍କୁ ବରବେଶରେ ସାଇକେଲରେ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିନୟଙ୍କ ବରଯାତ୍ରୀ ପୁରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଆଧୁନିକ ଯୁଗରେ ଯେଉଁଠି ବାହାଘର ଷ୍ଟେଟସର ପ୍ରତୀକ ସାଜିଛି, ଲୋକେ ଭବ୍ୟ ଆୟୋଜନ କରୁଛନ୍ତି, ଗାଡି, ଡିଜେ, ଅନେକ ପ୍ରକାର ବ୍ୟଞ୍ଜନ, ସାଜସଜ୍ଜା ସହ ଧୂମଧାମରେ ବାହାଘର ହେଉଛି ସେହି ସମୟରେ ପ୍ରଦୂଷଣ ମୁକ୍ତ ବାହାଘରର ବିଗୁଲ ଫୁଙ୍କିଛନ୍ତି ବିନୟ। ପ୍ରଦୂଷଣ ମୁକ୍ତ ଓ ପରିବେଶ ସୁରକ୍ଷାର ବଡ ବାର୍ତ୍ତା ଦେଇଛନ୍ତି ବିନୟ। ବିନୟ କୋଭିଡ ଗାଇଡଲାଇନ ପାଳନ କରି ପାଖାପାଖି ୧୨-୧୩ ଜଣଙ୍କୁ ନେଇ ବରଯାତ୍ରୀ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.