ଚତୁର୍ଥୀ ରାତି ଆଗରୁ ବରକୁ ଆସିଲା ଜ୍ବର, ବିବାହର ୭୨ଘଣ୍ଟା ପରେ କରୋନାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 01, 2021 IST

ବିଜନୌର ୧।୫: ୟୁପି ବିଜନୌରରେ ୭୨ ଘଣ୍ଟା ମଧ୍ୟରେ କରୋନା ନବବଧୂର ସୁଖ ଛଡାଇନେଲା । କରୋନା କାରଣରୁ ଦିନରେ ବରର ମୃତ୍ୟୁ ହୋଇଛି । ଚତୁର୍ଥୀ ରାତିରେ ବରକୁ ଜ୍ବର ଆସିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାପର ଦିନ ହିଁ ଚିକିତ୍ସା ସମୟରେ ବରର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।

ବିଜନୌର ସହରର ମୋହଲ୍ଲା ଜାଟାନ ବାସିନ୍ଦା ଅର୍ଜୁନ ଅପ୍ରେଲ ୨୫ରେ ଚାନ୍ଦପୁରର ସିୱା ସହରର ବାସିନ୍ଦା ବାବଲିଙ୍କୁ ବିବାହ କରିଥିଲେ । ୨୫ ତାରିଖରେ ବର ଅର୍ଜୁନ ବରଯାତ୍ରୀ ନେଇ ବିବାହ କରିବାକୁ ଯାଇଥିଲେ । ଧୁମଧାମରେ ସମସ୍ତ ରୀତିନୀତିରେ ବିବାହ ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ବର-କନ୍ୟାଙ୍କୁ ବିଦାୟ ଦିଆଯାଇଥିଲା ।

ବର ଘରେ ଉଭୟଙ୍କୁ ସ୍ବାଗତ କରାଯାଇଥିଲା । ସେହି ରାତିରେ ଚତୁର୍ଥୀ ଥିଲା । କିନ୍ତୁ ହଠାତ୍ ବରକୁ ଜ୍ବର ହୋଇଥିଲା । ଜ୍ବର କମିବା ପରିବର୍ତ୍ତେ ବଢିବାକୁ ଲାଗିଲା  । ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ବର ଅର୍ଜୁନଙ୍କୁ ତୁରନ୍ତ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଡୋଶୀଙ୍କ କହିବା ଅନୁସାରେ, ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ବର ଅର୍ଜୁନଙ୍କର ଅପ୍ରେଲ ୨୯ ତାରିଖ ସକାଳେ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ବରର ମୃତ୍ୟୁ ଖବର ପାଇବା ପରେ ନବବଧୂଙ୍କ ଉପରେ ଯେମିତି ପାହାଡ ଛିଣ୍ଡି ପଡିଥିଲା । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ଚୂରମାର ହୋଇଗଲା ସବୁ ସ୍ବପ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.