ବିବାହର ୪ ଦିନ ପରେ ନବ ବିବାହିତ ଯୁବକଙ୍କ ମୃତ୍ୟୁ: ବୋହୁ ସମେତ ପରିବାର ୯ଜଣ କରୋନା ପଜିଟିଭ୍

Published By : Prameya-News7 Bureau | December 10, 2020 IST

ଫିରୋଜାବାଦ ୧୦/୧୨ : ଉତ୍ତର ପ୍ରଦେଶ ଫିରୋଜାବାଦରେ ଗୋଟିଏ ପରିବାରର ୯ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ନବ ବିବାହିତ ଯୁବକ ମଧ୍ୟ ସାମିଲ ଅଛନ୍ତି। ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ପାଖାପାଖି ୧୦ ଦିନ ପୂର୍ବରୁ ପରିବାରର ଜଣେ ସଦସ୍ୟଙ୍କ ବାହାଘର ଥିଲା। ବାହାଘର ପରେ ଡିସେମ୍ବର ୪ ତାରିଖରେ ନବ ବିବାହିତା ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ କରୋନା ଯାଞ୍ଚ କରାଯାଇନଥିଲା। ବୁଧବାର ଦିନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଫିରୋଜାବାଦ ମୁଖ୍ୟ ଚିକିତ୍ସା ଅଧିକାରୀ ନିତା କୁଳଶ୍ରେଷ୍ଠ କହିଛନ୍ତି ଯେ ପାଖାପାଖି ୧୦ ଦିନ ପୂର୍ବରୁ ମୃତକଙ୍କ ବାହାଘର ହୋଇଥିଲା। ବାହାଘର ତୁରନ୍ତ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଓ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ କରୋନା ଯାଞ୍ଚ କରାଯାଇନଥିଲା ବୋଲି ସେ କହିଛନ୍ତି। ସେଥିପାଇଁ ତାଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି କି ଆଉ କେଉଁ କାରଣରୁ ହୋଇଛି ତାହା କୁହାଯାଇପାରୁନାହିଁ ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି। ପରିବାରର ଅନ୍ୟ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପରିବାରର ସଂକ୍ରମିତ ୯ଜଣଙ୍କ ମଧ୍ୟରେ ଯୁବକଙ୍କ ମା ମଧ୍ୟ ସାମିଲ ଅଛନ୍ତି। ଗାଁରେ ଅନ୍ୟମାନଙ୍କ କୋଭିଡ ଯାଞ୍ଚ ପାଇଁ ମେଡିକାଲ କ୍ୟାମ୍ପ ଲଗାଯାଇଛି। ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଫିରୋଜାବାଦରେ ୩୬୭୩ କରୋନା ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୧୭୧ ଜଣଙ୍କ ଚିକିତ୍ସା ଚାଲିଛି। ୬୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.