ବେଦୀରେ ମିଳିଥିବା ଟଙ୍କା ଗଣି ପାରିଲେ ନାହିଁ ବର, ବର ଯାତ୍ରୀଙ୍କୁ ଫେରାଇ ଦେଲେ କନ୍ୟା…

Published By : Prameya-News7 Bureau | November 21, 2019 IST

ହରଦୋଇ୨୧/୧୧: ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ଆସିଥିବା ବର ଟଙ୍କା ଗଣି ପାରିଲେ ନାହିଁ  କି ନିଜ ନାଁ ଲେଖି ପାରିଲେ ନାହିଁ। ତେଣୁ କନ୍ୟା ବିବାହ କରିବେନି ବୋଲି ରୋକଠୋକ୍ ମନା କରି ଦେଇଥିଲେ। କନ୍ୟାଙ୍କ ଘର ସାମ୍ନାରେ ପାଖାପାଖି ଦୁଇଘଣ୍ଟା ଯୁକ୍ତିତର୍କ ହେବା ପରେ ଶେଷରେ ବର ଓ ବର ଯାତ୍ରୀ ବିନା କନ୍ୟାରେ ଘରକୁ ଫେରିଛନ୍ତି। ଉତ୍ତରପ୍ରଦେଶର ହରଦୋଇରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ଶାହାଜନପୁରର ଜଣେ ଓକିଲଙ୍କ ପୁଅ ବାହାଘର ଶାହାବାଦ ଅଞ୍ଚଳରେ ଜଣେ ଚାଷୀଙ୍କ ଝିଅଙ୍କ ସହ ହେବ ବୋଲି ସ୍ଥିର ହୋଇଥିଲା। ମଙ୍ଗଳବାର ରାତିରେ ବର ଯାତ୍ରୀ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ସେଠାରେ କନ୍ୟାଙ୍କ ଘର ପକ୍ଷରୁ ବର ଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥିଲା।

ମଙ୍ଗଳରାତିରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା। ବୁଧବାର ସକାଳେ ପରମ୍ପରା ଅନୁସାରେ ବରଙ୍କୁ କିଛି ଟଙ୍କା ମିଳିଥିଲା।  ଏହି ଟଙ୍କା ଗଣିବା ଲାଗି ତାଙ୍କୁ କୁହାଯାଇଥିଲା।  ବର ଟଙ୍କା ଉଠାଇ ନେଲେ କିନ୍ତୁ ଗଣି ପାରିଲେ ନାହିଁ। ଏହା ଦେଖି କନ୍ୟା ଘର ଲୋକଙ୍କ ସନ୍ଦେହ ବଢ଼ିଥିଲା। ତାଙ୍କ ନାଁ ଲେଖିବାକୁ ବରକୁ କୁହାଯାଇଥିଲା ହେଲେ ସେ ନିଜ ନାଁ ବି ଲେଖି ପାରି ନ ଥିଲେ। କନ୍ୟା ଏ ସବୁ ଦେଖିବା ପରେ ବାହା ହେବେ ନାହିଁ ବୋଲି ସିଧା ସିଧା ମନା କରି ଦେଇଥିଲେ।

କନ୍ୟା ଘର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ ସ୍ନାତକ ବା ଗ୍ରାଜୁଏସନ ପାସ କରିଛନ୍ତି। କନ୍ୟାଠାରୁ ବର ଅଧିକ ପାଠ ପଢ଼ିଥିବା କଥା ପୂର୍ବରୁ କୁହାଯାଇଥିଲା। ହେଲେ ବରର ଏଭଳି କାର୍ଯ୍ୟକଳାପ ଦେଖିବା ପରେ ପ୍ରକୃତ ଘଟଣା ସମ୍ନାକୁ ଆସିଥିଲା। ବର ମୋଟେ ପାଠ ପଢ଼ି ନାହାନ୍ତି ନିରକ୍ଷର ବୋଲି ଜଣା ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.