ସୁସଜ୍ଜିତ ମର୍ସିଡିଜ୍ ଛାଡ଼ି ଟ୍ରାକ୍ଟରରେ ବାହା ହେବାକୁ ଗଲେ ଯୁବକ, ପତ୍ନୀଙ୍କ ସହ ଫେରି କୃଷକଙ୍କୁ ଭେଟିଲେ
4/12/2020 at 9:07 PM

କର୍ଣ୍ଣାଲ ୦୪/୧୨: ଦିଲ୍ଲୀ ବର୍ଡରରେ ନୂଆ କୃଷି ନୀତି ବିରୋଧରେ ଗର୍ଜୁଛନ୍ତି ହଜାର ହଜାର ଚାଷୀ। ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିବା ବେଳେ ନଭେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ। ଦେଶର କୃଷକଙ୍କ ସମର୍ଥନରେ ବହୁ ସଂଗଠନ ସମେତ ଲୋକମାନେ ବି ବାହାରିଛନ୍ତି। ବିଭିନ୍ନ ଉପାୟରେ ଲୋକମାନେ କୃଷକମାନଙ୍କୁ ସମର୍ଥନ ଜଣାଉଛନ୍ତି। ସେମିତି ଜଣେ ଚାଷୀ ପୁଅ ସୁସଜ୍ଜିତ ମର୍ସିଡିଜ୍ କାର୍ ଛାଡ଼ି ଟ୍ରାକ୍ଟରରେ ବାହା ହେବାକୁ ଯାଇଛନ୍ତି।
ହରିୟାଣା କର୍ଣ୍ଣାଲର ସୁମିତ ଢ଼ୁଲ୍। ସୁମିତଙ୍କ ଚାଷୀ ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ବାହା ଘରରେ ଟ୍ରାକ୍ଟର ନେଇ ଯାଇଥିଲେ ସୁମିତ। କିନ୍ତୁ ଘରେ ଆସି ଛିଡ଼ା ହୋଇଥିଲା ସୁସଜ୍ଜିତ ମର୍ସିଡିଜ୍ ବେଞ୍ଜ କାର୍। ମର୍ସିଡିଜ୍ ବଦଳରେ ଟ୍ରାକ୍ଟର ନେବାକୁ ନେଇ ଢୁଲ କହିଛନ୍ତି, ‘ମୁଁ କୃଷକ ପରିବାରରୁ ଆସିଛି। ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ରହିଛି। ତେଣୁ ମର୍ସିଡିଜ୍ ବଦଳରେ ଟ୍ରାକ୍ଟରକୁ ବାଛିଛି।’
ଏହା ସହ, ଆମେ ସହରରେ ରହୁଥାଇ ପାରନ୍ତି କିନ୍ତୁ ଆମ ମୂଳ ହେଉଛି ଚାଷ। କୃଷକ ଆମର ପ୍ରାଥମିକତା। କୃଷକମାନଙ୍କୁ ଲୋକଙ୍କ ସମର୍ଥନ ମିଳିବା ଦରକାର ବୋଲି ଢୁଲ କହିଛନ୍ତି। ସେପଟେ ବିବାହ ପରେ ଢୁଲ ଓ ତାଙ୍କ ପତ୍ନୀ ଆନ୍ଦୋଳନ ସ୍ଥଳକୁ ଯାଇ କୃଷକମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇଥିବା ଜଣାପଡ଼ିଛି।