ବର ଗିରଫ, ହୋଟେଲ ସିଲ୍‌: ବାହାଘରରେ ଧୁମ୍‌ ନାଚ ପରେ ୫ ଜଣ ପୋଲିସ୍ ହାଜତରେ, ମେଫେୟାରରେ ତାଲା

Published By : Prameya-News7 Bureau | July 04, 2020 IST

ବ୍ରହ୍ମପୁର୪/୭: ବାହାଘର ମଜା ବାହାରିଗଲା। ବିନା ମାସ୍କରେ ଧୁମ୍‌ ନାଚ ପରେ ବାନ୍ଧି ନେଲା ପୋଲିସ୍। ବର ସହ ବରର ପିତା, ବଡ଼ ବପା ଏବଂ ଦୁଇ ଦାଦା ବି ପୋଲିସ୍ ହାଜତରେ। ସେତିକିରେ ସରିନି, କୋଭିଡ୍ ଗାଇଡ୍‌ଲାଇନ୍‌ସ ଉଲଂଘନ ଅଭିଯୋଗରେ ଗୋପାଳପୁର ମେଫେୟାର ହୋଟେଲକୁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଶୁକ୍ରବାର ହୋଇଥିଲା ବାହାଘର, ଏବେ ଦିନକେ ପରେ ପୋଲିସ୍ ହାତରେ ଅଧା ପରିବାର। ଗୋପାଳପୁର ମେଫେୟାର ହୋଟେଲରେ ଶୁକ୍ରବାର ହୋଇଥିବା ବାହାଘରରେ କୋଭିଡ୍ ନିୟମ ଉଲଂଘନ କରାଯାଇଥିବାରୁ ଏପରି ଆକ୍ସନ ନେଇଛି ପୋଲିସ୍ ପ୍ରଶାସନ। ଏହାସହ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଗୋପାଳପୁର ଥାନାରେ ବରଘର ବିରୋଧରେ ୨ଟି ମାମଲା ରୁଜୁ ହୋଇଛି। ୫୦ ହଜାର ଟଙ୍କା ଜରିମାନା ହୋଇଛି।

{"id":296018,"sizeSlug":"large"}

ବ୍ରହ୍ମପୁରର ଜଣେ ହୋଟେଲ ମାଲିକଙ୍କ ପୁଅ ବାହାଘରରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଗତକାଲି ଏହି ବାହାଘର ହୋଇଥିଲା। ବାହାଘର ବରଯାତ୍ରୀ ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ବିନା ମାସ୍କରେ ସାମାଜିକ ଦୂରତ୍ବ ନ ରଖି ଡିଜେ ଗୀତରେ ଧୁମ୍‌ ନାଚୁଥିଲେ। ଏପରି କି ବର ମଧ୍ୟ ଦାମି କାର ଭିତରେ ଥାଇ ନାଚୁଥିଲେ। ସାମାଜିକ ଦୂରତା କଥା ଛାଡ଼, କାହାରି ମୁହଁରେ ମାସ୍କ କିମ୍ବା ଓଢ଼ଣୀ ନଥିଲା। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପୋଲିସ୍‌ ଏବଂ ପ୍ରଶାସନ ପାଖକୁ ଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ହୋଇଛି ଆକ୍ସନ। ବର ଦୀପକ ସାହୁଙ୍କ ସମେତ ତାଙ୍କ ଆତ୍ମୀୟ କୃଷ୍ଣ ଚନ୍ଦ୍ର ସାହୁ,  ଶିବ ରାମ ସାହୁ,  ବିନୋଦ ସାହୁ, ସନ୍ତୋଷ ସାହୁଙ୍କୁ ଗିରଫ କରିଛି ପୋଲିସ୍ । ବର ଆସିଥିବା କାରକୁ ମଧ୍ୟ ଜବତ କରାଯାଇଛି। ମେଫେୟାର ହୋଟେଲ୍ କୁ ୭ ଦିନ ପାଇଁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ବାହାଘର ଶୋଭାଯାତ୍ରା ରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ନିୟମ ଉଲଂଘନ କରିଥିହା ଅଭିଯୋଗ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.