'ଅଷ୍ଟ୍ରେଲିଆର ଯୁବ ବାହିନୀ ଏବେବି ପ୍ରାଇମେରୀ ସ୍କୁଲରେ ଅଛନ୍ତି', ଏମିତି କାହିଁକି କହିଲେ ଗ୍ରେଗ୍ ଚାପେଲ୍ ?

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ,୨୩/୦୧:  ବ୍ରିସବେନରେ ଭାରତ ଐତିହାସିକ ବିଜୟ ହାସଲ କରି ଅଷ୍ଟ୍ରେଲିଆକୁ ମାତ୍ ଦେଇଛି । ଟିମ୍ ଇଣ୍ଡିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ କଙ୍ଗାରୁ ଟିମକୁ ପରାସ୍ତ କରି ୨-୧ରେ ବିଜୟୀ ହୋଇଛି । ଏହି ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ପୂର୍ବତନ କୋଚ୍ ତଥା ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଗ୍ରେଗ୍ ଚାପେଲ୍ ।

ଗ୍ରେଗ୍ ଚାପେଲ କହିଛନ୍ତି ଯେ, ଅଷ୍ଟ୍ରେଲିଆର ଖେଳାଳିମାନେ ଏବେବି ପ୍ରାଇମେରୀ ସ୍କୁଲରେ ଅଛନ୍ତି ।ଦେଶର କ୍ରିକେଟ ବୋର୍ଡ କାଳବିଳମ୍ବ ନକରି ନୂଆ ଟ୍ୟାଲେଣ୍ଟ ଖୋଳିବା ଦରକାର । ଭାରତୀୟ ଦଳର ଅନୁଭବୀ ଖେଳାଳିମାନେ ଆହତ ହୋଇଥିଲେ ବି ଯୁବ ଖେଳାଳିମାନେ ସ୍ଥିତି ସମ୍ଭାଳିଥିଲେ । ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିସିସିଆଇ ଘରୋଇ ସ୍ତରରୁ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଛି । ଅଷ୍ଟ୍ରେଲିଆର ଯୁବ ଖେଳାଳିମାନେ କମ୍ କ୍ରିକେଟ ଖେଳନ୍ତି କିନ୍ତୁ ଭାରତୀୟ ଖେଳାଳି ଅଣ୍ଡର-୧୬ରୁ ହିଁ ଅଭ୍ୟାସ ଆରମ୍ଭ କରିଦିଅନ୍ତି । ଭାରତୀୟ ଦଳରେ କେହି ସ୍ଥାନ ପାଇଲେ ସେ ଟିମକୁ ଜିତାଇବାରେ ନିଜର ସବୁ ପ୍ରୟାସ କରିଥାଏ ।ଅଭିଜ୍ଞତାରେ ଓ୍ୱିଲ୍ ପୁକୋଭସ୍କି ଓ କ୍ୟାମେରନ୍ ଗ୍ରୀନ୍ ଏବେବି ପ୍ରାଇମେରୀ ସ୍କୁଲରେ ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବିସିସିଆଇ କ୍ରିକେଟରଙ୍କ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । କ୍ରିକେଟ ଅଷ୍ଟ୍ରେଲିଆ ମାତ୍ର ୪୪ ମିଲିୟନ ଡଲାର ଖର୍ଚ୍ଚ କରୁଛି । ଏହି ପାର୍ଥକ୍ୟ ଭାରତୀୟ ମହାସାଗର ଭଳି । କ୍ରିକେଟ ଅଷ୍ଟ୍ରେଲିଆ ଏଦିଗରେ ବିଚାର କରିବା ଆବଶ୍ୟକ । ଭାରତୀୟ ଦଳର କିଛି ଯୁବ ଖେଳାଳିଙ୍କ କୌଶଳ ଅଷ୍ଟ୍ରେଲିଆର  ଅନେକ ବରିଷ୍ଠ ଖେଳାଳିଙ୍କଠାରୁ ଉନ୍ନତ । ସେମାନେ ଚାପରେ ମଧ୍ୟ ଭଳ ଖେଳିପାରନ୍ତି ।

ଚାପେଲ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସବୁଠାର ଭଲ ଦଳ । ଏଥିରେ କୌଣସି ସନ୍ଦେହ ନାହିଁ । ସେମାନଙ୍କ ପାଖରେ ବିଶ୍ୱର ଶ୍ରେଷ୍ଠ ୫ଟି ଟିମକୁ ମାତ୍ ଦେବାର ଦକ୍ଷତା ରହିଛି । ଅଷ୍ଟ୍ରେଲିଆ ସବୁ ଟେଷ୍ଟରେ ସମାନ ବୋଲରଙ୍କୁ ଖେଳାଇବା ଭୁଲ ବୋଲି ସ୍ୱୀକାର କରିଛନ୍ତି ଚାପେଲ । ତେବେ ବୋଲରଙ୍କ ଅପେକ୍ଷା ପରାଜୟ ପାଇଁ ସେ ବ୍ୟାଟସମ୍ୟାନଙ୍କୁ ଦୋଷ ଦେଇଛନ୍ତି । ଦଳ ଅତିଶୀଘ୍ର ଡେଭିଡ ଓ୍ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କ ବିକଳ୍ପ ଖୋଜୁ ବୋଲି କହିଛନ୍ତି ଚାପେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.